କର୍ମ ହିଁ ଜୀବନ
କର୍ମ ହିଁ ଜୀବନ


ପ୍ରାଚୀ ଗଗନରେ ଉଦୟ ସୁରୁଜ
କାନେ କାନେ କହି ଯାଏ
ଭୁଲି ପରାଜୟ ବିଗତ ଦିନର
ଦେଖ ନୂଆ ସ୍ବପ୍ନ ଟିଏ .।
ନିଦ୍ରା କରି ତ୍ୟାଗ ହୁଅ ହେ ଜାଗ୍ରତ
ମନେ ଭରି ନୂଆ ଆଶା
ନୁହେଁ ବହୁ ଦୂର ବିଜୟ ର ପଥ
କର୍ମ କଲେ ମିଳେ ଦିଶା ।
ନୂତନ ଚେତନା ପ୍ରାଣେ ଭରିଯାଉ
ଜ୍ଞାନ ହେବ ବିକଶିତ
ଅଜ୍ଞାନ ଅନ୍ଧାର ଦୁରୀଭୂତ ହୋଇ
ଦେଖାଇବ ନୂଆ ପଥ ।
ଅଭିଳାଷ ପୂର୍ଣ୍ଣ କରିବା ପାଇଁକି
ମଥା ନତ କର ନାହିଁ
ସଗର୍ବେ ସ୍ୱକର୍ମ ନିତି କରିଗଲେ
ସଫଳତା ଯିବ ଛୁଇଁ ।
ଅନ୍ୟ ପାଇଁ ଦିନେ ପ୍ରେରଣା ହୋଇବ
କରିବ ଏମିତି କର୍ମ
କର୍ତ୍ତବ୍ୟ ପଥରୁ ହଟିଯିଵ ନାହିଁ
ଆସୁ ଯେତେ ବାଧା ବିଘ୍ନ।
କର୍ମ ଗରୀୟାନ କର୍ମ ହିଁ ମହାନ
ସଫଳ ଜୀବନ ମନ୍ତ୍ର
କର୍ମ ହିଁ ପ୍ରେରଣା କର୍ମ ଆରାଧନା
କର୍ମ ଜୀବନ ର ବ୍ରତ ।