କରିବନି ସାତପର
କରିବନି ସାତପର


ହୃଦୟଟା ପୂରା ତରଳାଇ, ତୁମ
ମନ ତଳେ ଢାଳିଦେଲି,
ଖାଲି ଖାଲି ମୋର ଅନ୍ତର ମନ୍ଦିରେ
ତୁମ ଛବି ଆଙ୍କିଦେଲି । [୧]
ଗହନ ମନର ସାଇତା ବେଦନା
ସବୁ କାଢି ଫିଙ୍ଗିଦେଲି,
ସାତ ସପନର ଅକୁହା କଥାକୁ
ହସି ହସି ବାଢ଼ିଦେଲି। [୨]
'ମୋର' ବୋଲି ଯେତେ ଅଭିମାନ ପଣ
ତୁମ ସହ ଯୋଡ଼ିଦେଲି,
ମନ ଆଇନାରେ ତୁମକୁ ଦେଖୁଛି
ମୋ ଛବି ଗଲିଣି ଭୁଲି। [୩]
ମିଠା ପରଶର ପୁଲକରେ କେତେ
ଭରିଯାଏ ମନ ପ୍ରାଣ,
ସୂରୁଯକି ଆଜି ପଛିମେ ଉଇଁଛି
ଆହା ମୁଁ କି ଭାଗ୍ୟବାନ ! [୪]
ତୁମ ପ୍ରେମଭରା ପ୍ରତିଶୃତି ଧାରେ
ଖୁସିରେ ମୁଁ ଭାସିଗଲି,
ନିରିମାଖୀ ଲାଜକୁଳୀ ଲତା ପରି
ସେନେହେଁ ଲଟେଇଗଲି । [୫]
ଆଶା ମୋର ନାହିଁ ଝଲସିବି ହୋଇ
ସରଗର ପାରିଜାତ,
ତୁମ ପୀରତିର ଅମୃତ ଧାରାରେ
ହୋଇଗଲି ମୁଁ ତୃପତ । [୬]
ଦେଇଥିବା କଥା, ବୋହିଯିବା ପାଣି
ଉଜାଣି ଆସଇ ନାହିଁ ,
ହୃଦୟକୁ ମୋର ସାଇତି ରଖିବ
ସେନେହ ପରଶ ଦେଇ । [୭]
ପ୍ରତିଦାନେ ଚାହେଁ ତୁମ ହୃଦୟଟି
ପାଇବାକୁ ପ୍ରେମେ ଭେଟି,
ଯୁଗ ଯୁଗ ପାଇଁ ଅମଳାନ ହୋଇ
ରହିଥାଉ ଆମ ପ୍ରୀତି । [୮]
ଅତି ସରଳିଆ ମନଟି ମୋହର
ଛନ୍ଦ କପଟଠୁ ଦୂର,
ସର୍ତ୍ତ ରଖ! କେବେ ଛଳନାର ଫାନ୍ଦେ,
କରିବନି ସାତ ପର। [୯]