ପାଦ ପାଉଁଜୀ
ପାଦ ପାଉଁଜୀ
ଆମ ଘର ଯେବେ ପହିଲି ହସିଲା
ତୁମେ ଆସିଥିଲ ନୂଆ
ତୁମରି ଚାଲିରେ ତୁମ ପାଉଁଜିର
ଶବ୍ଦେ ଥିଲା ପ୍ରୀତି ଛୁଆଁ |
ଧିରେ ଧିରେ ଯେବେ ତୁମେ ଚାଲୁଥିଲ
ରୁଣୁ ଝୁଣୁ ଶବ୍ଦ ମୋହେ
ଅଵଗୁଣ୍ଠନର ତଳେ ତୁମ ମୁହଁ
ଲାଜେ ପରା ଲୁଚିଥାଏ |
ପାଦ ପାଉଁଜିର ମଧୁର ନିକ୍ଵଣ
ହୃଦୟେ ଜଗାଏ ପ୍ରୀତି
କଳ୍ପିତ କାହାର ଏ ପ୍ରୀତି ପସରା
ବିଭୂଷିତ କରିଅଛି |
ନାରୀ ଦେହେ ଯେତେ ଥାଏ ଅଳଙ୍କାର
ନିଆରା ପାଦ ପାଉଁଜୀ
ଶବ୍ଦରେ ତାହାର କେତେ ଯେ କୁହୁକ
ମନ ଯାଇଥାଏ ହଜି |
ଏକାକୀ ନୀରବେ ପ୍ରତୀକ୍ଷାର ଶେଜେ
ହୃଦୟ ତୋଳେ ଯନ୍ତ୍ରଣା
ପାଦ ପାଉଁଜିର ଶବଦେ ପ୍ରୀତିରେ
ମନ ହୁଏ ଆନମନା |
ଭରି ଯେ ରହିଛି ସେ ଶବଦ ଧାରେ
ପ୍ରୀତିଭରା ଆକର୍ଷଣ
ଆଣିଥାଏ ସଦା ରୋମାଞ୍ଚ ଦେହରେ
ଭରେ ଆଖିରେ ସପନ |
ନର୍ତ୍ତକୀ ପାଦର ଘୁଙ୍ଗୁର ପରାୟେ
ବଧୂପାଦେ ଯେ ପାଉଁଜୀ
ପ୍ରୀତି ସାତସୁର ଝଙ୍କାର ତୋଳେ ସେ
ମିଳନର ଆଶେ ହଜି |
ଅନାଦି କାଳରୁ ନାରୀର ଭୂଷଣ
ହୋଇଛି ପାଦ ପାଉଁଜୀ
ବିମୋହିତ କରେ ପୁରୁଷର ମନ
ଗୁଞ୍ଜରିତ ଶବ୍ଦରାଜୀ |

