ଅନ୍ତିମ ଫଗୁଣ
ଅନ୍ତିମ ଫଗୁଣ
ଫଗୁଣ ହେ ତମେ ପ୍ରୀତି କଦମ୍ବର
ଉଚ୍ଛ୍ଵାସେ ମାଦକ ଭରି ;
ମଧୁ ପ୍ରଣୟର ନିବିଡ ସମ୍ଭାରେ
କେବେବି ଯାଅନା ଫେରି (1)
ରୋମାଞ୍ଚିତ କରି ଶ୍ରାବଣୀ ଢଙ୍ଗରେ
ପ୍ରୀତିରେ ବର୍ଷା ଚୁମ୍ବନ;
କଦମ୍ବର ମୂଳେ ପ୍ରଣୟର ରାସ
ସୁମଧୁର ଉପବନ (2)
ତୁମେ ହିଁ ସୃଜନ ତୁମେ ସାଧାରଣ
ପ୍ରେମର ପୁଣ୍ୟତୋୟା ;
କାମିନି ଦାମିନୀ ଲାଜୁଆ ହସରେ
ତୁମେ ଇନ୍ଦ୍ରଧନୁ ମାୟା (3)
କେତେବି ତାଡନା ଏତେ ପ୍ରବଞ୍ଚନା
ଫଗୁଣ ହେ କାହିଁ ଦିଅ ;
ବୈଶାଖୀ ଭଙ୍ଗିରେ ଅଙ୍ଗାର କାହିଁକି
ଉଷ୍ମତାରେ ଲହୁ ଲୁହ (4)
ଅନ୍ତିମ ଫଗୁଣ କଳ୍ପିତ ଆଭାସ
ମନେ ଅହେତୁକ ଗ୍ଲାନି ;
ଉତ୍ତାଳ ତରଙ୍ଗେ ଭିଜା ଭିଜା ଆଖି
ପ୍ରଳୟର ମହାଧ୍ୱନି (5)