ବିଦଗ୍ଧ ଜୀବନ
ବିଦଗ୍ଧ ଜୀବନ
ବର୍ଷା ସହ କିଛି ସ୍ମୃତି ବାଣ୍ଟିଥିଲି
ଅବ୍ୟକ୍ତ କୋହ ଭିତରେ ;
ଭିଜା ଭିଜା ମାଟି କାନ୍ଦେ କଇଁ କଇଁ
ଆଖିଏ ଲୁହ ଆଖିରେ l
ସେନେହି ଆଖିରେ ଲୁହକୁ ଆବୋରି
ଜୀବନକୁ ଭୁଲିଯାଇ ;
ଅଧୁରା ସ୍ୱପ୍ନକୁ ଆଖିତଳେ ଚାପି
କାନ୍ଦି ଉଠେ କଇଁ କଇଁ ।
ନଈ ପଠାର ସେ କାଶତଣ୍ଡି ଫୁଲ
ସ୍ଵପ୍ନରେ କେବେ ମଉଳେ ;
ଆଧୁନିକ ନାରୀ କୋହଚାପି କାନ୍ଦେ
ପ୍ରିୟାର ଓଢଣୀ ତଳେ ।
ରୂପକୁ ସଜେଇ ଅଭିନୟ କରେ
ଅଧୁରା ରହେ କାହାଣୀ ;
ସେ ମାନବିକତା ମଉଳି ଗଲାଣି
ଲୋକମୁହେଁ କଳଙ୍କିନୀ ।
ପାଉଁଶ ତଳର ସ୍ବପ୍ନ ରୋଷଣିରେ
ଅତୃପ୍ତ ଆତ୍ମା ଖୋଜଇ ;
ତୁମ ନୀରବତା ଆଣେ ଅବସାଦ
ଜୀବନକୁ ଭୁଲିଯାଇ ।
କାଗଜ ଡଙ୍ଗାକୁ ସଜେଇ ରଙ୍ଗେଇ
ନଈ ମୁହାଣେ ଭସେଇ ;
ଏ ମାୟା ସଂସାର ସପନ ଢେଉରେ
ନିଜକୁ ଡଙ୍ଗା ସଜେଇ ।
ଶେଷ ଫଗୁଣର ଚିଠି ସେ ଲେଖୁଛି
ଅଧୁରା ସ୍ୱପ୍ନକୁ ନେଇ ;
ମାଟିରୁ ଆକାଶ ଆକାଶରୁ ମାଟି
ନିଃସଙ୍ଗତା ଭରିଥାଇ ।
କରୋନା ବିଚଳିତ ଜୀବନେ ଏଇ
ମନହୁଏ କଲବଲ ;
ଭାବାବେଗେ ଖାଲି ଈଶ୍ୱର ଭରସା
ମୁକ୍ତିର ପଥ ସରଳ ।
ଅଭିମାନୀ ଭକ୍ତ ଭାବ ତନ୍ମୟରେ
ଗୁମୁରି ଗୁମୁରି କାନ୍ଦେ ;
ଅତିଥି ପରାଏ ବିଦଗ୍ଧ ଜୀବନେ
ଭକ୍ତି ରସାମୃତ ଛନ୍ଦେ ।
ବନ୍ଧୁକ ମୁନରେ ଜୀବନ ବଞ୍ଚୁଛି
କର୍ତ୍ତବ୍ୟକୁ ଆପଣେଇ ;
ନାସ୍ତିକ ବିଚାରା ଆସ୍ତିକ ସାଜିଛି
ମନ୍ଦିର ଭ୍ରମଣ ପାଇଁ ।
ଅନଲାଇନ୍ ଆସର ଆଜି ପରାଦିନେ
ହୃଦୟର ପରିଭାଷା ;
ଭରଚୁଆଲ୍ ବିବାହେ ଆଧୁନିକ ନାରୀ
ମନେରେ ଭରେ ନିରାଶା
ପ୍ରତାରଣା ଆଣେ ବିଦଗ୍ଧ ଜୀବନେ
ପାରିବାରିକ କଳହ ;
ଜୀବନର ଶେଷ ଚିଠି ଲେଖିଦିଏ
ସଂସାରୁ ଛଡାଇ ମୋହ ।
