ଏଇ ତ ଜୀବନ
ଏଇ ତ ଜୀବନ
ବର୍ଷା ସହ କିଛି ସ୍ମୃତି ବାଣ୍ଟିଥିଲି
ଅବ୍ୟକ୍ତ କୋହ ଭିତରେ ;
ଭିଜା ଭିଜା ମାଟି କାନ୍ଦେ କଇଁ କଇଁ
ଆଖିଏ ଲୁହ ଆଖିରେ ।
ମରିଯାଇଛି ମୋ ଆଶା ଅଭିଳାଷ
କୋହଉଠେ ଅସୁମାରି ;
ହୃଦୟ ହୀନାର ହୀନ ମନ୍ୟତାରେ
ଜଳିଯାଏ ଝୁରି ଝୁରି।
ସେନେହି ଆଖିରେ ଲୁହକୁ ଆବୋରି
ଜୀବନକୁ ଭୁଲିଯାଇ ;
ଅଧୁରା ସ୍ୱପ୍ନକୁ ଆଖିତଳେ ଚାପି
କାନ୍ଦି ଉଠେ କଇଁ କଇଁ ।
ରୂପକୁ ସଜେଇ ଅଭିନୟ କରେ
ଅଧୁରା ରହେ କାହାଣୀ ;
ସେ ମାନବିକତା ମଉଳି ଗଲାଣି
ଲୋକମୁହେଁ କଳଙ୍କିନୀ ।
ଚୋରାଇନେଇଛି ମୋ ମୁହଁର ହସ
ଆକୁଳ ବିଦଗ୍ଧ ମନ ;
ଶୁଭୁନାହିଁ ଆଉ ବସନ୍ତ ବେଳାରେ
ସୁମଧୁର କୁହୁତାନ ।
ପାଉଁଶ ତଳର ସ୍ବପ୍ନ ରୋଷଣିରେ
ଅତୃପ୍ତ ଆତ୍ମା ଖୋଜଇ ;
ତୁମ ନୀରବତା ଆଣେ ଅବସାଦ
ଜୀବନକୁ ଭୁଲିଯାଇ ।
ଶେଷ ଫଗୁଣ ର ଚିଠି ସେ ଲେଖୁଛି
ଅଧୁରା ସ୍ୱପ୍ନକୁ ନେଇ ;
ମାଟିରୁ ଆକାଶ ଆକାଶ ରୁ ମାଟି
ନିଃସଙ୍ଗତା ଭରିଥାଇ ।
ଆହତ ମନ ମୋ ଲୋଡୁନାହିଁ ଆଉ
କୁସୁମିତ ଫୁଲବନ
ବୟସର ଆଗେ ଫିକା ଏ ଆୟୁଷ
ତୁଟିଛି ସାରା ସପନ ।
ଅଭିମାନୀ ଭକ୍ତ ଭାବ ତନ୍ମୟରେ
ଗୁମୁରି ଗୁମୁରି କାନ୍ଦେ ;
ଅତିଥି ପରାଏ ବିଦଗ୍ଧ ଜୀବନେ
ଭକ୍ତି ରସାମୃତ ଛନ୍ଦେ ।
ପ୍ରତାରଣା ଆଣେ ବିଦଗ୍ଧ ଜୀବନେ
ପାରିବାରିକ କଳହ ;
ଜୀବନ ର ଶେଷ ଚିଠି ଲେଖିଦିଏ
ସଂସାରୁ ଛଡାଇ ମୋହ ।