କପଟୀ ଜହ୍ନ
କପଟୀ ଜହ୍ନ
ସ୍ମୃତିର ଦରଜା ଖୋଲିଖୋଲି ଯାଏ
ବରଷା ଯାଉଛି ଫେରି
ଭୋଦେଇ ଖରାରେ ଦେହ ଜଳିଯାଏ
ଆଖି ହୋଇଯାଏ ଭାରି I
ଆଖିର ସପନ ଆଖିରେ ଲୁଚିଛି
ପବନ ଗାଉନି ଗୀତ
ଶରତ ଆକାଶେ ଭସା ଭସା ମେଘ
ଏଯାଏ ଆସିନି ଶୀତ I
ସରୋବରେ କଇଁ ସପନ ଦେଖୁଛି
ଜହ୍ନକୁ ରହିଛି ଚାହିଁ
ଏକଥା ଜାଣିଛି କେବେ ସେ ଜହ୍ନକୁ
ପାରିବନି ଥରେ ଛୁଇଁ I
ଏମିତି ଏମିତି ଦିନ ସରିଯିବ
ଆକାଶରେ ଥିବ ଜହ୍ନ
ଛଳନାର ହସ ହସି ଦେଉଥିବ
ଝୁରୁଥିବ କଇଁ ମନ I

