କୋଟିଏ ଗୁହାରୀ ଶୁଣିନ ହେ ହରି
କୋଟିଏ ଗୁହାରୀ ଶୁଣିନ ହେ ହରି
କୋଟିଏ ଗୁହାରି ଶୁଣିନ ହେ ହରି
ଗୋଟିଏ ଶୁଣିବା ହେଉ
ତୋ ବଡ଼ଦାଣ୍ଡରେ ରଥଚକ ତଳେ
ମୋ ଜୀବନ ଚାଲିଯାଉ ।
ଚାହିଁଥିବି ତୋର ଚକା ନୟନକୁ
ବହୁଥିବ ନେତ୍ରୁ ନୀର
କାଳିଆ କାଳିଆ ତୁଣ୍ଡ ଘୋଷୁଥିବ
ତ୍ରାହି କର ତ୍ରାହି କର ।
ଛଟପଟ ହୋଇ ଗଡ଼ୁଥିବି ତହିଁ
ବଡ଼ ଦେଉଳକୁ ଚାହିଁ
ଆଖିକୁ ତରାଟି ଯିବ ପ୍ରାଣପକ୍ଷୀ
ତୋ ପଦ ପିଞ୍ଜରେ ଧାଇଁ ।
ମୋ ଭଳି ପତିତ ହେଉ ପ୍ରାଣପାତ
ପତିତପାବନ ତଳେ
ନନ୍ଦିଘୋଷ ରଥ ଘର୍ଘର ଶବଦ
ଶଙ୍ଖ ଘଣ୍ଟା ତାଳେ ତାଳେ ।
ତୋ ଦେହ ତୁଳସୀ କର୍ପୁର ସୁବାସ
ଧୂପ ଗନ୍ଧ ମହ ମହ
ପବନେ ସଞ୍ଚରି ମୋ ଦେହରେ ଖେଳି
ଝାଡ଼ିଦେବ ପାପଚୟ ।
ଦଳିଦେବେ ମୋତେ ତୋର ଭକ୍ତ କେତେ
କାନ୍ଧେଇକି ନେବେ ଥୋକେ
ତୋ ସ୍ୱର୍ଗ ଦୁଆରେ ଜାଳିବେ ଚିତାରେ
ଏ ଭାଗ୍ୟ ମିଳିବ ସତେ ।
ହେଲେହେଁ ପାତକୀ ଯମଦୂତେ ଆସି
ନେବେ ନାହିଁ ସାହା ମୋର
ତୋର ବିଷ୍ଣୁଦୂତେ ଆସିବେ ପ୍ରତ୍ୟକ୍ଷେ
ନେବେ ବଇକୁଣ୍ଠ ପୁର ।
କୋଟି ଜନ୍ମ ତୀର୍ଥ ଫଳ ହେବ ପ୍ରାପ୍ତ
ଶ୍ରୀକ୍ଷେତ୍ରେ ଗଲେ ଜୀବନ
ଏତିକି ଗୁହାରି ମଞ୍ଜୁର କର ହେ
ଜଗା କରେ ନିବେଦନ ।