କୋଣାର୍କର ଶଖେଦ
କୋଣାର୍କର ଶଖେଦ


ତୁମେ ସିନା ଦେଖ ଭଗ୍ନ କୋଣାରକ
ଲୁପ୍ତ ଇତିହାସ ଯାର
ଶିଳ୍ପୀ ସମ୍ପ୍ରଦାୟ ଶ୍ରମ,ତ୍ୟାଗ ଶ୍ରେୟ
ସ୍ବାର୍ଥ ହୀନ ତୋଳିବାର
କଳା ଭାସ୍କର୍ଯ୍ୟର ଅପୂର୍ଵ ସଂଭାର
ଭାଙ୍ଗିଗଲା କି ପ୍ରକାରେ
କିଏସେ ବିନ୍ଧାଣି ମୂର୍ତ୍ତି ମାନ ପୁଣି
ଆଙ୍କିଥିଲା ଜୀବନ୍ତରେ
କେତେ ଯତନରେ ନିଖୁଣ ଭାବରେ
ସତେ ଅବା ଜାଦୁଗର
ପଥରକୁ ଯୋଡି ପ୍ରତିକୃତି ଗଢି
ଧନ୍ୟସେହି କାରିଗର
ବାରଶ ବାଢେଇ ବାରବର୍ଷ ଧରି
ବୁଦ୍ଧି,ବଳ,କଉଶଳ
ନିହାଣ ମୁନରେ ଖୋଦନ କରିଲେ
ଶରୀରୁ ନିଗାଡି ଝାଳ
ବାର ବରଷର ବାଳକ ଟେ ଛାର
ସନମାନ ରଖିଦେଲା
ଜାତିର ଗରିମା ; କଳଙ୍କ କାଳିମା
ସାହାସରେ ପୋଛିଦେଲା
ଜୀବନକୁ, ବାଜି ଲଗାଇ ; ବରଜି
ମୋହ,ମାୟା,ଲିଳା,ଖେଳା
ମୁଁ ଦେଖୁଛି ଆଜ ଅତୀତ ମୁରୁଜ
କଙ୍କାଳର ଭଗ୍ନ ଶିଳା
କହ କୋଣାରକ କିମ୍ପାଇଁ ତୋ ଦୁଃଖ
ମଉନେ ବସିଛୁ କାହିଁ
କେଉଁ ତପସ୍ଵୀର କ୍ରୋଦ୍ଧର ଶିକାର
ଅଭିସ୍ୟାପେ ଅଛୁ ଚାହିଁ
କିଏ ସେ ଠାକୁର ଆସିବେ ମର୍ତ୍ତ୍ୟର
ତୋହର ଉଦ୍ଧର ପାଇଁ
ଆସିବେକି ସେହି ଅମୃତ ସନ୍ତାନ
ସଞ୍ଜୀବନୀ ହାତେ ନେଇ
ବିଶୁ ମହାରଣା ସୁପୁତ୍ର ଧରମା
ଧରଣୀରେ ଅବତରି
ଭବ୍ୟ କଳେବର କରି ପୁନର୍ବାର
ଫେରାଇବ ରୂପ ଶିରୀ
ନର୍ତ୍ତକୀ ନୃତ୍ୟରେ ପ୍ରାଙ୍ଗଣ ଝଙ୍କାରେ
ଶୁଭୁଥିଲା ବହୁ ଦୂରେ
ଓଡିଶୀ ସଙ୍ଗୀତ ସଂସ୍କୃତି ସତତ
ପ୍ରକମ୍ପିତ ମୂର୍ଛନାରେ
ଦିନେ ଦିବାକର ଆଶି ମର୍ତ୍ତ୍ୟ ପୁର
ପଡିଗଲେ ତୋ ପ୍ରେମରେ
ଚନ୍ଦ୍ରଭାଗା ଶୋଭା ଦେଖି ମନୋ ଲୋଭା
ରହିଗଲେ ସେ ମନ୍ଦିରେ
ଝଟକେ ଶରୀର ଶରଦ, ଶିଶିର
ଜ୍ୟୋତ୍ସ୍ନା ସିକ୍ତ ରଜନୀରେ
ହେମନ୍ତ,ବସନ୍ତ,ଗ୍ରୀଷ୍ମ,ବର୍ଷା, ଶୀତ
ଭିଜୁଥାଉ ନିର୍ବିକାରେ
ତୋର ଶୋଭା ଦେଖି ଆଖି ଯାଏ ଲାଖି
ଭାବାବେଗ ପ୍ରବଣରେ
ପ୍ରେମୀ ଯୁଗଳଙ୍କ ତୋ କୋଳ ପଲଙ୍କ
ପ୍ରୀତି,ପ୍ରେମ,ପ୍ରଣୟରେ
ତୋର ସ୍ମୃତି ରାଜି ଗଲାଣିଟି ହଜି
ମନେ ପକା ପୁଣିଥରେ
କେତେ କଳାକାର କବି କଥାକାର
ଦାର୍ଶନିକ କଳ୍ପନାରେ
କଲମ ତୁଳିରେ , କାନଭାସ ପରେ
ଆଙ୍କିଦେଲେ କିସୁନ୍ଦରେ
ତୋ ରୂପ ଲାବଣ୍ୟ ଭଜି ମାନ୍ୟ ଗନ୍ୟ
ଲୋଟିଗଲେ ତୋପୟରେ
କହ କୋଣାରକ କାହିଁକି ତୋ ଖେଦ
କିମ୍ପା ଅଛୁ ମଉନରେ
ଅତୀତ କିରତି ମନେ ପଡୁନିକି
ଅଭିମାନ ବିଷାଦରେ ?