ଅଭିମାନ
ଅଭିମାନ
ଜଳି ଜଳି ପଛେ ଜଳିଯିବି ପ୍ରଭୁ
ଜଣାଇବିନି ମୋ ଦୁଃଖ ।
ଦେଲେ ଦିଅ ପ୍ରଭୁ ଯେତେକ ଯନ୍ତ୍ରଣା
ଦେଖୁଥିବି ଚନ୍ଦ୍ର ମୁଖ ।।୧।।
ତୁମ ଦରଶନେ ଲଭିବି ମୁଁ ସୁଖ
ଚକା ବଦନକୁ ଚାହିଁ ।
ଝୁଣ୍ଟିବା ଆଗରୁ ଉଠାଇ ନେବହେ
ମୋପ୍ରତି ନିର୍ଦ୍ଦୟ ନୋହି ।।୨।।
ତୁମେ ଶିଖାଇଛ ଛିଡା ହେବା ପୁଣି
ପଡି ଉଠି ଚାଲିବାର ।
ଓଠରେ ହସକୁ ଫୁଟାଇ ଦେଇଛ
ଭୁଲି ବାକୁ ଦୁଃଖ ଭାର ।।୩।।
ଜନମ ଦେଇଛ ମରଣ ଦେଇଛ
ଦେଇଛ ଦୁଃଖ ସକଳ ।
ମରିବା ଆଗରୁ ଶିଖାଇ ଦିଅହେ
ସହିବାର କଉଶଳ ।।୪।।
ପ୍ରଭୁ ଆଗେ ଥିଲେ ପଛେ ମୁହିଁ ଥିବି
ପଶିବି ଅଗ୍ନିରେ ତହିଁ ।
ପୋଡି ଜଳି ପଛେ ପାଉଁଶ ହୋଇବି
ପଳାତକ ହେବି ନାହିଁ ।।୫।।
ନଦେଲେ ନଦିଅ ଧନ,ଜନ,ମାନ
ଅହଂକାର ଅଭିମାନ ।
ସଙ୍କଟ ସମୟେ ସାଥେ ସଦା ଥିବ
ଶକ୍ତି ; ଦେଇ ସଦଜ୍ଞାନ ।।୬।।
ତୁମେ ଦାରୁ ବ୍ରହ୍ମ ପ୍ରଭୁ ପରଂ ବ୍ରହ୍ମ
ବସିଆଛ ନୀଳାଚଳ ।
ପରଷି ଦିଅହେ ପଙ୍କଜ ନୟନ
ପବିତ୍ର କରୁଣାଚଳ ।।୭।।
ତୁମେ ଦୟାମୟ ଦୟାର ସାଗର
ଦୀନ ପ୍ରତି ଦୟା କର ।
ମୁଁ ଜଣେ ପାତକ ପଶୁଛି ଶରଣ
ପାପ ପଙ୍କୁ ହେବି ପାର ।।୮।।
ବଡ ଦେଉଳରେ ବଶିଛ ମଉନେ
ବୁଦ୍ଧ ଅବତାର ଧରି ।
ବୁଦ୍ଧି ଦିଶୁନାହିଁ ବିଚାରେ କିପରି
ବିପତ୍ତିରୁ ଯିବି ତରି ।।୯।।
ବେଳୁବେଳ ଦୁଃଖ ବଳି ପଡିଲାଣି।
ବିନୟେ କରେ ଗୁହାରି ।
ବେନି ଭୁଜ ତୋଳି ବିରାଜ ହୃଦୟେ
ବରଷିଣ କୃପାବାରୀ ।।୧୦।।
ଆଉ କେତେ ଦିନ ଅନାଇ ଥିବହେ
ଅପଲକ ନେତ୍ର କରି ।
ଆସୁ ପଛେ ଝଡ ଅଥବା ବତାସ
ଆତୁରେ ନଯିବି ଡରି ।।୧୧।।
ଅଭିଶାପ ଦିଅ ଅବା ଆଶୀର୍ବାଦ
ଅନାଇଛି ହାତ ଯୋଡି ।
ଅଭିମାନ କରି ଅନ୍ୟାୟ କରିଛି
ଅପରାଧ ଦିଅ ଫେଡି ।।୧୨।।