STORYMIRROR

Santosh Kumar Nayak

Abstract Children Stories Others

4  

Santosh Kumar Nayak

Abstract Children Stories Others

କୋଣାର୍କ ଇତିବୃତ୍ତ

କୋଣାର୍କ ଇତିବୃତ୍ତ

1 min
23.3K


କଳାର ଭଣ୍ଡାର ବିଭାତିର ଘର

ଅପରୂପ କୋଣାରକ,

ତା' ଦୀପ୍ତ ବଦନ ଟାଣୁଛି ଦୃଷ୍ଟିକୁ

ଭୁଲାଉଛି ଦୁଃଖଶୋକ ।। ୧।।


କେହି ସେ ପାରିବ ବଖାଣି ତା' ରୂପ

ହାରିଛି କବି ଭାବୁକ,

ଅଜଣା ମଣିଷ ଦେଖିଲେ କହିବ

ଗଢିଛନ୍ତି ବିଶ୍ବସୃକ ।। ୨।।


ନାହିଁରେ ମାନବ ଗଢିନି ଏହାକୁ

କେଉଁ ଦେବ ଅବା ଦୂତ,

ଉତିଷ୍ଠ ହୋଇଛି ଏଠାରେ ଏ ରଥ

ତୋ ପରି ନର ପାଇଁ ତ ।।୩।।


ନରସଂହ ଦେବ ଉତ୍କଳର ରାଜ

କହିଲେ ଦିନେ ମନ୍ତ୍ରୀଙ୍କୁ,

ତୋଳାଇବେ ଏକ ସୌଷ୍ଠବ ମନ୍ଦିର

ମାତୃସ୍ବପ୍ନ ପୁରିବାକୁ ।।୪।।


ନୃପବାଣୀ ଶୁଣି ମନ୍ତ୍ରୀ ଚିନ୍ତାମଣୀ

ଆଦେଶ ଦେଲେ ଯେ ଆଜ,

ଦୂତଗଣ ଯାଇ ସାରା ଜଗତରେ

କାରିଗର ତୁମ୍ଭେ ଖୋଜ ।।୫।।


ଚତୁର୍ଦ୍ଦିଗେ ଏହା ହେଲେ ପ୍ରକଟିତ

ଖୋଜାହେଲା କାରିଗର,

ବିଶୁ ମହାରଣା ସିବେଇ ସାମନ୍ତ

ଆହୁରି ଅନେକ ନର ।।୬।।


ଲହୁଲହୁ ଦେଇ ନିର୍ମାଣ କରିଲେ

ଗୌରବମୟ ମନ୍ଦିର,

ରଥଭଳି ତାକୁ ସଜ୍ଜିତ କରିଲେ

ଲଗାଇ ଘୋଡା ଚକର ।।୭।।


କେତେ ନାରୀଙ୍କର ରୂପ ଅଙ୍କା ହେଲେ

ନରଙ୍କର ମନୋଭାବ,

କାମୁକର କାମ ପ୍ରେମିକର ପ୍ରେମ

ପଶୁପକ୍ଷୀଙ୍କର ରବ ।।୮।।


ବାରଶ' ବଢେଇ ପାରିଲେନି ଭାଇ

ବସାଇ ଦଧିନଉତି,

ରାଜା ଆଦେଶିଲେ ତାହା ନ ବସିଲେ

ହୋଇବ ମୁଣ୍ଡ କରତି ।।୯।।


ଏମନ୍ତ ବିଚାର ଶୁଣି ରାଜାଙ୍କର

ସର୍ବେ ହେଲେ ଭୟଭୀତ,

ସୌଭାଗ୍ୟବଶତଃ ଉଭା ହେଲା ଆସି

ବିଶୁ ମହାରଣା ସୁତ ।।୧୦।।


ଶିଖିଥିଲା ସିଏ କଳା କାରିଗରୀ

ପୁରାତନ ପୋଥି ପଢି,

ଆତ୍ମଚେଷ୍ଟା ବଳେ ଦଧିନଉତିକୁ

ରଥ ଶିଖେ ଦେଲା ଯୋଡି ।। ୧୧।।


ଧନ୍ୟ ଧର୍ମପଦ କହିଲେ ସଭିଏଁ

ଗାଇଲେ ତା' ଜୟଗୀତ,

ପୁତ୍ରର କୃତ୍ତିତ୍ବ ଦେଖିଣ ପିତାଙ୍କ

ମନ ହୋଇଗଲା ପ୍ରୀତ ।।୧୨।।


ଉଡାଇଲେ ସିନା ତା' ଜୟର ଧ୍ବଜା

ସର୍ବେ ଥିଲେ ଭୟଭୀତ,

ଧରମା ଗାରିମା ଜାଣିଲେ ରାଜନ

ସଭିଏଁ ହୋଇବେ ମୃତ ।। ୧୩।।


ଜାତି ଭାଇଙ୍କର ସ୍ବାର୍ଥରକ୍ଷା ପାଇଁ

ଧର୍ମା ଦେଲା ଆତ୍ମାହୁତି,

ଚନ୍ଦ୍ରଭାଗା ନଦୀ ସଲିଳ ଧାରାରେ

ଜୀବନକୁ ଦେଲା ପାତି ।। ୧୪।।


ତା' ସ୍ମୃତି ସ୍ବରୂପେ ରହିଅଛି ଆଜି

ମୁକସାକ୍ଷୀ କୋଣାରକ,

କୋଣାର୍କ ଶରୀର ଜୀବିତ ରହିଛି

କଟିଗଲେ ବି ତା' ବେକ ।। ୧୫।।


ସମୟର ନଈ ବୁଡାଇ ପାରିନି

ରହିଛି ଏବେ ବି କଥା,

କାଳର ପବନ ଉଡାଇ ପାରିନି

ଧରମାର ଜୟଗାଥା ।। ୧୬।।


ଥିଲା ଅଛି ଆଉ ସଦା ରହିଥିବ

ଭଗ୍ନରଥ କୋଣାରକ,

କୋଟି ଜନମନ ଟାଣି ନେଉଥିବ

ହରୁଥିବ ଦୁଃଖଶୋକ ।।୧୭।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract