କବିତା - କୋମଳ ଅମ୍ଳଜାନ
ରଚନା - ପଞ୍ଚାନନ ଜେନା
ତାରିଖ -୨୬-୦୭-୨୦୨୫
ପତ୍ରଝଡ଼ାର ଗୋପନ କଥା ଓ ବ୍ୟଥା
ଫଗୁ ଫଗୁଣଋତୁ ସରୁ ସରୁ ଶୁଣିଥିଲି
ଚଇତ୍ରର ଆଗମନୀ ବାର୍ତ୍ତା ବହନ କରୁ କରୁ
ଦହନ ଜ୍ୱଳନର ପର୍ବାରମ୍ଭ ବି ବୁଝିଗଲି
କଅଁଳ କିଶଳୟ ସବୁ ମୁଣ୍ଡ ଟୁଙ୍ଗାରୁଥିଲେ
ପୁଣି ସବୁଜପତ୍ରର ନରମ ମାୟାରେ
ସବୁ ସାରିଲି ଭୂଲିଗଲି ଭାସିଗଲି ଝାସିଗଲି
ସବୁଜ ମାୟାରେ ବାୟା ଅବଧୂତ ହେଲି
ଥୁଣ୍ଟା ପତ୍ରଝରା ପାଦପ ପ୍ରବରକୁ
ବାରମ୍ବାର ନିହାରୁଥିଲି ଦେଖୁଥିଲି
ବକ୍ରଦୃଷ୍ଟିରେ ବି
ଆୟତ ଆନନରେ ବି
ପରଖୁଥିଲି ମାପୁଥିଲି
ଭୀମ ବଳ କୁଇନ୍ତାକୁ ଜଣା ପରି
ମଣୁଥିଲି ଛାଣୁଥିଲି
ପ୍ରକୃତିର ନିଷ୍ଣୁର ନୀତି ନିୟମକୁ
ଚର୍ମ ଚକ୍ଷୁରେ ପରଖୁଥିଲି
ପଢୁଥିଲି ଅନ୍ତର୍ବେଦନା ଚିରି ଖୋଲି
ଲଣ୍ଡିତ ମସ୍ତକର ଶେଷ ପାଚିଲା ପତ୍ରକୁ ନିମ୍ଳିତ ଦୃଷ୍ଟିରେ ଚାହୁଁଥିଲି ଭାବୁଥିଲି
ଶୂନ୍ୟତାର ଖାଣ୍ଡବ ବନରେ ବି ହୋଇପାରେ
କୋମଳ ମୃତ୍ୟୁର କୋକେଇ
ମୁକ୍ତାପରି ଲୁହବିନ୍ଦୁରେ ବି ରଚି ହୁଏ
ଶେଷ ବୈଶାଖ ତାତିରେ ମିଠା ମଣୋହି
ଏ ମାଟିର ମୋହ ଏ ପୃଥିବୀର ମାୟା
କଅଁଳ ପତ୍ରର କୋମଳ ଛାୟା
ସବୁ ଲାଗେ ସମୟର ସରଳ ସମ୍ମୋହନ
ଥୁଣ୍ଟା ମହୀରୁହରେ ପୁଣି ଫେରିଆସେ
ଛନ ଛନ ଯୌବନ
ପାଗଳ ବସନ୍ତ ପବନ ସନୈ ସନୈ ପ୍ରଚାରୁଥାଏ
ଏହି ଖୁସିର ବାର୍ତ୍ତାକୁ କାନନ କେଦାର ଉପବନ
ସମ୍ଭାବନାରେ ଆକ୍ତାମାକ୍ତା ମଦମତ୍ତ ପ୍ରଭଞ୍ଜନ
କଅଁଳ ପତ୍ର ପୁଣି ବର୍ଷ କେଇଟାରେ
ପାକଳ ହୁଏ ଦିଶେ ଶୁଷ୍କ ଶ୍ରୀହୀନ
ହୁଗୁଳା ଦୁର୍ବଳ ଦନ୍ତହୀନ ଶକ୍ତିହୀନ
ପବନର ହାଲୁକା ହିଲ୍ଲୋଳରେ ହଲି ଦୋହଲି
ଖସିପଡ଼େ ମାଟି କାମୁଡ଼େ ହାମୁଡ଼େ
ଭୋଗୁଥାଏ ପବିତ୍ର ପତ୍ରଝଡ଼ାର କୋମଳ ରୋଦନ
ଋତୁଚକ୍ରର ପ୍ରବାହରେ କଡ଼ା ଶାସନରେ
କେବେ ଶ୍ୟାମଳ କୋମଳ ଅମ୍ଳଜାନ
କେବେ ଶୁଖିଲା ମୃତ୍ୟୁର ଆକସ୍ମିକ ଆହ୍ଵାନ