STORYMIRROR

Satyabati Swain

Tragedy

3  

Satyabati Swain

Tragedy

କୋକେଇ ସଵାରୀ

କୋକେଇ ସଵାରୀ

2 mins
11.7K

କ ରୋ ନା ଆଁରେ ଗଳିପଡିବା ପୂର୍ବରୁ

ଅଂଶୁ ଗଳି ପଡୁଛି

ଉତ୍କଟ ଭୋକ ଖାତରେ

ଆସନ୍ନ ପ୍ରସବା ସ୍ତ୍ରୀ କୁନି

ଗୁଣ୍ଡେ ନ ଖାଇଲେ

ଛଟ୍ ଛଟ୍ ହୋଇ ଯାଉଛି

ପକ୍ଷଘାତ ରୋଗୀ ବାପାଙ୍କ କରୁଣ ଚାହାଣୀ

କେବଳ ଧ୍ୟାନ କେତେବେଳେ

ମୁଠେ ଖାଇବାକୁ ମିଳିବ

ଅଭିଆଡ଼ି ଭଉଣୀ

କହୁଛି ଭାଇ

ଲକ୍ ଡାଉନ୍ କେବେ ଖୋଲିବ?

ତୁ ବେପାରକୁ କେବେ ଯିବୁ

ପେଟ ପୁରା ଭାତ କଣ

ଆମ ଭାଗ୍ୟରେ ଜୁଟିବ ନାଇଁ?।


ଭଲ ହୋଇଛି

ଆର ସନ ଫନି ମାଡ଼ରେ

ବୋଉ ମରି ଯାଇଛି

ନଲେ ଆମ ସମସ୍ତଙ୍କୁ

ଭୋକ ନିଆଁରେ ଭାଜି ହେବା ଦେଖି

ଖୁ କଷ୍ଟ ପାଉ ଥାନ୍ତା।


ରାସ୍ତା କଡେ ସାଇକେଲରେ ଠିଆ ହୋଇ

ଦହି ବରା ବିକୁଥିବା

ଅଂଶୁମାନ ମଣ୍ଡଳ ମୁଁ

କେତେ ଆଉ ଠେଲନ୍ତି

ଘରେ ହାତ ବାନ୍ଧି ବସିଛି

ଦେଢ଼ ମାସ ହେବ

ବେପାର ନାହିଁ

ଭଙ୍ଗା କାନ୍ଥ

ଚିରା ପଲିଥିନ ତଳେ

ସୂର୍ଯ୍ୟ ଉହୁଁକି ଦେଖୁଛନ୍ତି

ଭୋକିଲା ଚାରିଟା ପେଟର

ସାତ ସିଆଁ ଦଦରା ଲୁଗାରେ

ଦେହ ଲୁଚାଉଥିବା ମଣିଷ ମାନଙ୍କ

ଆଉଟୁ ପାଉଟୁ ପୋଡ଼ା ଗନ୍ଧ ଜୀବନକୁ।


ବୋଉ ଛୁଆଟିଏ ଚାହିଁ ଚାହିଁ ମଲା

ବାହା ଘର ସାତ ବର୍ଷ ପରେ

ଖରା ଖରାର ଜୀବନରେ ଟିକେ ଖୁସି

ଛାଇ ଆଇବ ବୋଲି ଅଥୟ ହେଲାଣି

କୁନି ପେଟକୁ ଛୁଆଟା ଗୋଇଠା ମାରୁଛି

ମୁଁ ବାହାରକୁ ଯିବି

ବାହାର ଆଲୁଅ ଦେଖିବି

ମାଟିପରେ କୁଆଁ ରାଵ ଦେବି 

ମୋତେ ନିଅ ମୋତେ ନିଅ କହୁଛି

ହେଲେ ଧନ

ତୁ ଆସିଲେ କେଉଁଠି ରହିବୁ

କଣ ଦେଖିବୁ

କଣ ଖାଇବୁ

କେଉଁ ପବନ ନିଃଶ୍ବାସରେ ନେବୁ?


ଜାଣିଛୁ!ସୁନା

ଏବେ ମାଟିରେ ଆଲୁଅ ନାହିଁ

କାଉ ବି ନାହିଁ

ପବନରେ କ ରୋ ନା ଜୀବାଣୁ

ଲହ ଲହ ଜିଭ କାଢି ବୁଲୁଛି

ଖାଲି ଖାଁ ଖାଁ ନିର୍ଜନତା

ତାଲା ବନ୍ଦ

ଛାତି ଥରା ଆଶଙ୍କା

ଦେଖୁନୁ ମୋ ଦହି ବରା ହାଣ୍ଡି କେମିତି

ନ ଖାଇ ନ ପିଇ

ଫାଆଁ ଗାଳି ପଡିଛି

ସାଇକେଲ୍ ଟାରେ ବି ପମ୍ପ ଶୁନ୍ୟ

ସେ ବି ଭୋକିଲା

ତୁ କେଉଁ ଦୁନିଆଁରେ ରହିବୁ ରେ!!


କୁନି ଚିତ୍କାର କଲା

ଆଃ ବୋଉ ଲୋ ମରିଗଲି

ପେନ୍ ଆରମ୍ଭ ହୋଇ ଯାଇଥିଲା ତାର

ମୁଁ ବିକଳ ହୋଇ ଆମ୍ବୁଲାନ୍ସ କୁ ଫୋନ୍ କଲି

ରୋଗୀ ଛାଡି ଆସିବ କହିଛି

ବ୍ୟସ୍ତ ହଅନା କୁନି

ଏଇ ଆମ୍ବୁଲାନ୍ସ ଆସୁଥିବ

ପେନ ବଢ଼ୁଥିଲା

କୁନି ତଳେ ଗଡୁଥିଲା

ଭାଇ ଭଉଣୀ ଦିଟା ଆମେ ଆକୁଳରେ ଖାଲି

ତା ଦିହ ଆଉଁସୁଥିଲୁ

ମୁଁ ବାରମ୍ବାର ଆମ୍ବୁଲାନ୍ସକୁ ଫୋନ୍ କରୁଥିଲି

ଡ୍ରାଇଭର କହୁଥିଲା

ଓହୋ ଏତେ ବ୍ୟସ୍ତ ହେଲେ ହେବ

ହଜାର ହଜାର ରୋଗୀ ବା

ଆମକୁ ଫୋନ୍ କରୁଛନ୍ତି

ଜଣକ ପରେ ଜଣକୁ ନେବୁ ସିନା।


ମୁଁ ଖାଲି ଦାଣ୍ଡ ଦୁଆର ମୁହଁକୁ ଦଉଡ଼ି ଯାଉଥିଲି

କାନଉଁଥିଲି ଆମ୍ବୁଲାନ୍ସ ଶବ୍ଦକୁ

ଆମ୍ବୁଲାନ୍ସ ଶବ୍ଦ ନୁହେଁ ମୋ କାନରେ

କୁଆଁ କୁଆଁ ଶବ୍ଦଟିଏ ପଡିଲା

ଭଉଣୀ ଡାକ ଛାଡିଲା ଭାଇ

ଆମର ପୁଅଟିଏ ହୋଇଛି

ରକ୍ତ ଜୁଡ଼ୁବୁଡୁ ହୋଇ ପଡିଥିଲା କୁନି

ଛୁଆଟା କୁଆଁ କୁଆଁ ହୋଇ

କମ୍ପେଇ ଦେଉଥିଲା ମୋ ବେବଶ ବାପା ପଣିଆଁକୁ

ମୁ ଖୁସି ହେଉଥିଲି କି ଦୁଃଖ କରୁଥିଲି

ଜାଣି ପାରୁ ନଥିଲି

କେବଳ ଜାଣିଲି କୁନିକୁ ଯେତେ ଡାକିଲେ ଉଠୁନି

ଛୁଆ ଟା କାନ୍ଦିଲେ ବି 

ସେ କେମିତି ନିଦରେ ଶୋଇଛି!

ଉଠାଇ ପାରୁନି

ମୁଁ ହଲେଇ ହଲେଇ ଥକତ

ଉଠ୍ କୁନି,ଦେଖ୍ ଆମର ପୁଅଟିଏ ହୋଇଛି

ଏଇ ଦିନକୁ ଚାତକ ପରି ଚାହିଁ ଥିଲୁ ଟି

ଆଲୋ ଉଠ୍, ଉଠ୍ କୁନି।


ଆମ୍ବୁଲାନ୍ସ ଆସିଲା

କୁନି କିନ୍ତୁ ଡାକ୍ତର ଖାନା ନୁହେଁ

ଆମ ଗାଁ ମଶାଣୀକୁ 

"କୋକେଇ ସଵାରୀ "ରେ ଯାଉଥିଲା

ଶୋଇବ ବୋଲି।



Rate this content
Log in

Similar oriya poem from Tragedy