କୋଇଲି
କୋଇଲି
କଳା ରଙ୍ଗ ସିନା ଦେହଟି ତାହାର
ସୁରଟି ଅତି ମଧୁର
ବସନ୍ତ ଆସିଲେ ତାର ଆଗମନ
ସଭିଁଙ୍କି କରେ ବିଭୋର ।
ନବ କୁସୁମରେ ପଲ୍ଲବିତ ତରୁ
ବହଇ ମୃଦ୍ୟୁ ସମୀର
ସମୀରର ତାଳେ ତାଳେ ତାର ସୁର
ଲାଗଇ ଶ୍ରୁତି ମଧୁର ।
ପଞ୍ଚମ ତାନରେ ଗାଉଥାଏ ଗୀତ
ଝରେ ସଂଙ୍ଗୀତ ଝଙ୍କାର
ତନୁ ମନ ସବୁ କରଇ ଆକୃଷ୍ଟ
ଟାଣି ନିଏ ପାଖେ ତାର ।
ତା ସୁରରେ ସତେ କି ଯାଦୁ ଅଛିରେ
ଦୁଃଖ ହେଇଯାଏ ଦୂର
ତା କୁହୁ ତାନରେ ସୁରକୁ ମିଶାଇ
ଉଚ୍ଚାରଣ କରେ ନର ।
ଡେଣା ଝାଡି ଝାଡି ଉଡେ ଆକାଶରେ
ବସେ ସେ ବୃକ୍ଷ ଉପର
ଏମିତି କଣ୍ଠଟି ପାଇଅଛି ସିଏ
ସଭିଁଙ୍କ ହୁଏ ଆଦର ।
ବସନ୍ତ ରାଜାର ହୃଦୟର ରାଣୀ
ସୁର ଅତି ଚମତ୍କାର
ତା ସୁରେ ପାଗେଳୀ ଏ ପ୍ରକୃତି ରାଣୀ
ହୁଅଇ ଆତ୍ମ ବିଭୋର ।
କଳା ମଚ ମଚ ଦେହଟି ସିନା ତା
ସବୁ ହୃଦୟେ ବିହାର
ଲାଞ୍ଜ ଅତି ମନଲୋଭା ତାର ନାଲି
ଆଖି ଦୁଇଟି ସୁନ୍ଦର ।
ନିଜ କର୍ତ୍ତବ୍ୟରେ ହେଳା ସେ କରେନି
ମନେ ନାହିଁ ଅହଂକାର
ବସନ୍ତ ଆସିଲେ ସିଏ ଆସିଯାଏ
ଶୁଣାଏ ତାହାର ସୁର ।
ପକ୍ଷୀ ହେଲେ ବିତ ରଖିଛି ସେ ମନେ
ଭୁଲିନି ଦାୟିତ୍ଵ ତାର
କାହା ପ୍ରତି ତାର ନ ଥାଏ ନଜର
କର୍ତ୍ତବ୍ୟରେ ଆଗୁସାର ।
ବସନ୍ତଟି ଗଲେ ନିଏ ସେ ବିଦାୟ
କଥା ଦିଏ ଫେରିବାର
ଆମ୍ରତରୁ ବନେ ତାର କୁହୁତାନେ
ଆଶା ସ୍ମୃତିର ସେ ଘର ।
କଥା ଦେଇ କଥା ରଖି ଥାଏ ଯିଏ
କୋଇଲି ନାମଟି ତାର
କଳା ରଙ୍ଗ ସିନା ଦେହଟି ତାହାର
ସୁରଟି ଅତି ମଧୁର ।
