କଂସ ବନ୍ଦୀଗୃହ
କଂସ ବନ୍ଦୀଗୃହ
ଯୁଗେ ଯୁଗେ ପ୍ରଭୁ ଜାତ ଧରାଧାମେ
ପାପୀର ଉତ୍ପାତ ହେଲେ
ତା ସାଥୀରେ ଯୁକ୍ତ ଭକତ ଭାବନା
ଆସନ୍ତି ମହୀ ମଣ୍ଡଳେ ।
ମନୁ ଶତରୁପା ତପସ୍ୟା ର ବର
ପୁତ୍ର ହୋଇ ଜନମିବେ
କଂସ ଅତ୍ୟାଚାରେ ମହୀ ଥର ହର
ପାପୀ କୁ ନାଶ କରିବେ ।
ବ୍ରହ୍ମା ବରେ ବଳୀୟାନ କଂସାସୁର
ଧରାକୁ ସରା ମଣିଲା
ଅତ୍ୟାଚାରେ ତାର ମେଦିନୀ କମ୍ପିତ
ଇନ୍ଦ୍ର ଚ଼ନ୍ଦ୍ର ନ ମାନିଲା |
ଭଗିନୀ କୁ ବନ୍ଧୁ ବସୁଦେବ ସଙ୍ଗେ
ବିବାହ ବିଦାୟୀ କାଳେ
ଶୂନ୍ୟବାଣୀ ଶୁଣି କୋପେ ଥରହର
କ୍ରୋଧ ରେ କ୍ରୋଧ ରେ ଜଳେ ।
ଭଗିନୀ ଗର୍ଭର ଅଷ୍ଟମ ସନ୍ତାନ
ହାତରେ ତା ମୃତ୍ୟୁ ଲେଖା
ଶୁଣି ଦେବା ପରେ ଭୁଲି ଗଲା ସିଏ
ଦେବକୀ ଭଗିନୀ ପରା |
ମୃତ୍ୟୁ ଭୟେ ସିଏ ଦେବକାର ହତ୍ୟା
କରିବାକୁ ଆଗେଇଲା
ହେଲେ ବସୁଦେବ ସୁଚିନିଷ୍ଟ ରାଜା
ତ୍ରିବାର ସତ୍ୟ କରିଲା ।
ଜନ୍ମିତ ସନ୍ତାନେ ଗୋଟି ଗୋଟି କରି
କଂସ ହାତେ ଦେବେ ଦେଇ
ପତ୍ନୀ କୁ ସୁରକ୍ଷା ଦେବାର କର୍ତ୍ତବ୍ୟ
ବସୁଦେବ କରିଲଇଁ ।
କଂସ ବନ୍ଦୀଗୃହ ଅନ୍ଧକାର ମୟ
କବାଟ ପରେ କବାଟ
ପ୍ରହରୀ ଙ୍କ ସଂଖ୍ୟା କିଏ ବା କହିବ
ସର୍ବେ ଭୟେ ଲଟପଟ l
କଂସ ବନ୍ଦୀଗୃହ କାରୁଣ୍ୟରେ ଭରା
କୋହ ରେ କୋହରେ ଭାରି
ଗର୍ଭ ଜାତ ଠାରୁ ପ୍ରସବ ପର୍ଯ୍ୟନ୍ତ
ଚିନ୍ତା ରେ ହୁଅନ୍ତି ଘାରି ।
ଜନ୍ମିତ ଶିଶୁର କୁଆଁରାବ ଖାଲି
ଶୁଣେ ଏହି ବନ୍ଦୀ ଗୃହ
ପର ମୁହୂର୍ତ୍ତରେ ଆର୍ତ୍ତ ଚିତ୍କାରରେ
ଆଖିରୁ ଶୁଖେନି ଲୁହ ।
ଏଇ ବନ୍ଦୀ ଗୃହେ ଗୋଟେ ପରେ ଗୋଟେ
ଛଅଟି ଶିଶୁର ବଧ
ବଳରାମ ଗର୍ଭୁ ଉଭାନ ହୋଇଣ
ରୋହିଣୀ ଙ୍କ ଗର୍ଭେ ସ୍ଥିତ ।
ସପ୍ତମ ଗର୍ଭର ଉପରାନ୍ତେ ଗୃହ
ଅନନ୍ୟ ଆଲୋକେ ଭରା
କଂସ ବନ୍ଦୀ ଗୃହେ ସତେ ଅବା କିଏ
ଢ଼ାଳି ଦେଲା ଶାନ୍ତି ଧାରା ।
କଂସ ବନ୍ଦୀଗୃହ ପୁଲକିତ ସତେ
ପ୍ରଭୁଙ୍କର ଆଗ ମନେ
ସିଏ ଦେଖିବନି ଅତ୍ୟାଚାର ଆଉ
ଭାବି ହସେ ମନେ ମନେ ।
କଂସ ବନ୍ଦୀ ଗୃହ ଦେବକୀର ଲୁହ
ସବୁ ତ ଉଭେଇ ଗଲା
ଦେବକୀ ମନର ଆଶଙ୍କା ଯାଗାରେ
ପୁଲକ ଘର କରିଲା ।
ଅଷ୍ଟମ ଗରଭ ଦେବକୀଙ୍କ ମନେ
ଭରିଦେଲା ମାଦକତା
ସପନ ରାଇଜେ ଦେବକୀ ଘୁରିଲେ
ମନୁ ତେଜି ବିଷାଦତା |
ଅନ୍ଧାରୀ ଶାଳାରେ ଦିବ୍ୟାଲୋକ ଭରି
ଜନମିଲେ ଘନଶ୍ୟାମ
ନିଜ ପାଇଁ ନିଜେ ରାସ୍ତା ତିଆରିଲେ
ବସୁଦେବେ ଦିବ୍ୟଜ୍ଞାନ I
ଦିବ୍ୟ ଚେତନା କଂସ ବନ୍ଦୀଗୃହ
ମହକରେ ମହକିଲା
ବନ୍ଧନ ଖୋଲିଲା କବାଟ ଖୋଲିଲା
ପ୍ରହରୀ ଙ୍କୁ ମାୟା ହେଲା ।
ମାୟାଧାରୀ ମାୟା ରଚ଼ନା କରି ଯେ
ମଥୁରା ରୁ ଯା'ନ୍ତି ଗୋପ
ବାଟେ ଉଗ୍ରସେନ, ଉତ୍ତଳା ଯମୁନା
ଅଟକାନ୍ତି ପରା ବାଟ ।
ବରଷାକୁ ରୋକେ ସପ୍ତଫେଣୀ ନାଗ
ଉଗ୍ରସେନ ମୁଣ୍ଡେ ଶାଢୀ
ଯମୁନା ଭକ୍ତିରେ ରାସ୍ତା ଛାଡିଦିଏ
ଧନ୍ୟ ଧନ୍ୟ ହେ ମୁରାରୀ ।
ମଥୁରାରୁ ଗୋପେ ଯଶୋଦା କୋଳରେ
ନବଘନ କୃଷ୍ଣ ଶ୍ୟାମ
ଯଶୋଦାଙ୍କ କୋଳୁ ଯୋଗମାୟାଙ୍କର
ମଥୁରା ହୁଏ ଗମନ ।
କଂସକୁ ସନ୍ଦେଶ ଦେଇ ସେ ଯାଆନ୍ତି
ତା ମୃତ୍ୟୁ ଗୋପେ ବଢୁଛି
କଂସ ନିଦ ହଜେ ଶୟନେ ସପନେ
କାହାକୁ ନିତି ଦେଖୁଛି ।
ତୁମ ଆଗମନେ ବନ୍ଦୀଗୃହେ ଖେଳେ
ଆନନ୍ଦ ଭାବ ଭାବନା
ଯେବେ ଠାରୁ ବନ୍ଦୀ ପିତା ମାତା ତବ
କଂସ ହୁଏ ଆନ ମନା ।
ମୃତ୍ୟୁ ଭୟେ ତାର ପ୍ରତିଟି ମୁହୂର୍ତ୍ତ
ତୁମରି ଚିନ୍ତନେ ଯାଏ
ଶତୃତା ହେଲେ ବି ତୁମ ଛଡ଼ା ଆଉ
କାହାକୁ ଭାବୁ ନଥାଏ |
ପାପାଚ଼ାରୀ କଂସ ନାଶ କଲ ପ୍ରଭୁ
ମହୀ ଭାର କମାଇଲ
ତୁମ ଚିନ୍ତନରେ ଥିଲା ବୋଲି ସିଏ
ଉଦ୍ଧାର ଯେ କରିଦେଲ |
ଧନ୍ୟ ଦଇତାରୀ ପାପ ତାପ ହାରୀ
ଧନ୍ୟ ହେ କୃଷ୍ଣ ମୁରାରୀ
ଅଧମର ଭାବ ସ୍ଵୀକାର କର ହେ
ବିଶ୍ଵେ ଶାନ୍ତି ଦିଅ ଭରି ।
