STORYMIRROR

Sarojini Mishra

Classics

4  

Sarojini Mishra

Classics

କଂସ ବନ୍ଦୀଗୃହ

କଂସ ବନ୍ଦୀଗୃହ

2 mins
17


ଯୁଗେ ଯୁଗେ ପ୍ରଭୁ ଜାତ ଧରାଧାମେ

ପାପୀର ଉତ୍ପାତ ହେଲେ

ତା ସାଥୀରେ ଯୁକ୍ତ ଭକତ ଭାବନା

ଆସନ୍ତି ମହୀ ମଣ୍ଡଳେ ।


ମନୁ ଶତରୁପା ତପସ୍ୟା ର ବର

ପୁତ୍ର ହୋଇ ଜନମିବେ

କଂସ ଅତ୍ୟାଚାରେ ମହୀ ଥର ହର

ପାପୀ କୁ ନାଶ କରିବେ ।


ବ୍ରହ୍ମା ବରେ ବଳୀୟାନ କଂସାସୁର

ଧରାକୁ ସରା ମଣିଲା

ଅତ୍ୟାଚାରେ ତାର ମେଦିନୀ କମ୍ପିତ

ଇନ୍ଦ୍ର ଚ଼ନ୍ଦ୍ର ନ ମାନିଲା |

 

ଭଗିନୀ କୁ ବନ୍ଧୁ ବସୁଦେବ ସଙ୍ଗେ

ବିବାହ ବିଦାୟୀ କାଳେ

ଶୂନ୍ୟବାଣୀ ଶୁଣି କୋପେ ଥରହର

କ୍ରୋଧ ରେ କ୍ରୋଧ ରେ ଜଳେ ।


ଭଗିନୀ ଗର୍ଭର ଅଷ୍ଟମ ସନ୍ତାନ 

ହାତରେ ତା ମୃତ୍ୟୁ ଲେଖା

ଶୁଣି ଦେବା ପରେ ଭୁଲି ଗଲା ସିଏ

ଦେବକୀ ଭଗିନୀ ପରା |


ମୃତ୍ୟୁ ଭୟେ ସିଏ ଦେବକାର ହତ୍ୟା

କରିବାକୁ ଆଗେଇଲା

ହେଲେ ବସୁଦେବ ସୁଚିନିଷ୍ଟ ରାଜା

ତ୍ରିବାର ସତ୍ୟ କରିଲା ।


ଜନ୍ମିତ ସନ୍ତାନେ ଗୋଟି ଗୋଟି କରି

କଂସ ହାତେ ଦେବେ ଦେଇ

ପତ୍ନୀ କୁ ସୁରକ୍ଷା ଦେବାର କର୍ତ୍ତବ୍ୟ 

ବସୁଦେବ କରିଲଇଁ ।


କଂସ ବନ୍ଦୀଗୃହ ଅନ୍ଧକାର ମୟ

କବାଟ ପରେ କବାଟ

ପ୍ରହରୀ ଙ୍କ ସଂଖ୍ୟା କିଏ ବା କହିବ

ସର୍ବେ ଭୟେ ଲଟପଟ l


କଂସ ବନ୍ଦୀଗୃହ କାରୁଣ୍ୟରେ ଭରା

କୋହ ରେ କୋହରେ ଭାରି

ଗର୍ଭ ଜାତ ଠାରୁ ପ୍ରସବ ପର୍ଯ୍ୟନ୍ତ

ଚିନ୍ତା ରେ ହୁଅନ୍ତି ଘାରି ।


ଜନ୍ମିତ ଶିଶୁର କୁଆଁରାବ ଖାଲି

ଶୁଣେ ଏହି ବନ୍ଦୀ ଗୃହ

ପର ମୁହୂର୍ତ୍ତରେ ଆର୍ତ୍ତ ଚିତ୍କାରରେ 

ଆଖିରୁ ଶୁଖେନି ଲୁହ ।


ଏଇ ବନ୍ଦୀ ଗୃହେ ଗୋଟେ ପରେ ଗୋଟେ

ଛଅଟି ଶିଶୁର ବଧ

ବଳରାମ ଗର୍ଭୁ ଉଭାନ ହୋଇଣ

ରୋହିଣୀ ଙ୍କ ଗର୍ଭେ ସ୍ଥିତ ।


ସପ୍ତମ ଗର୍ଭର ଉପରାନ୍ତେ ଗୃହ

ଅନନ୍ୟ ଆଲୋକେ ଭରା

କଂସ ବନ୍ଦୀ ଗୃହେ ସତେ ଅବା କିଏ

ଢ଼ାଳି ଦେଲା ଶାନ୍ତି ଧାରା ।


କଂସ ବନ୍ଦୀଗୃହ ପୁଲକିତ ସତେ

ପ୍ରଭୁଙ୍କର ଆଗ ମନେ

ସିଏ ଦେଖିବନି ଅତ୍ୟାଚାର ଆଉ

ଭାବି ହସେ ମନେ ମନେ ।


କଂସ ବନ୍ଦୀ ଗୃହ ଦେବକୀର ଲୁହ

ସବୁ ତ ଉଭେଇ ଗଲା

ଦେବକୀ ମନର ଆଶଙ୍କା ଯାଗାରେ

ପୁଲକ ଘର କରିଲା ।


ଅଷ୍ଟମ ଗରଭ ଦେବକୀଙ୍କ ମନେ

ଭରିଦେଲା ମାଦକତା

ସପନ ରାଇଜେ ଦେବକୀ ଘୁରିଲେ

ମନୁ ତେଜି ବିଷାଦତା |


ଅନ୍ଧାରୀ ଶାଳାରେ ଦିବ୍ୟାଲୋକ ଭରି

ଜନମିଲେ ଘନଶ୍ୟାମ

ନିଜ ପାଇଁ ନିଜେ ରାସ୍ତା ତିଆରିଲେ

ବସୁଦେବେ ଦିବ୍ୟଜ୍ଞାନ I


ଦିବ୍ୟ ଚେତନା କଂସ ବନ୍ଦୀଗୃହ

ମହକରେ ମହକିଲା

ବନ୍ଧନ ଖୋଲିଲା କବାଟ ଖୋଲିଲା

ପ୍ରହରୀ ଙ୍କୁ ମାୟା ହେଲା ।


ମାୟାଧାରୀ ମାୟା ରଚ଼ନା କରି ଯେ

ମଥୁରା ରୁ ଯା'ନ୍ତି ଗୋପ

ବାଟେ ଉଗ୍ରସେନ, ଉତ୍ତଳା ଯମୁନା

ଅଟକାନ୍ତି ପରା ବାଟ ।


ବରଷାକୁ ରୋକେ ସପ୍ତଫେଣୀ ନାଗ

ଉଗ୍ରସେନ ମୁଣ୍ଡେ ଶାଢୀ

ଯମୁନା ଭକ୍ତିରେ ରାସ୍ତା ଛାଡିଦିଏ

ଧନ୍ୟ ଧନ୍ୟ ହେ ମୁରାରୀ ।


ମଥୁରାରୁ ଗୋପେ ଯଶୋଦା କୋଳରେ

ନବଘନ କୃଷ୍ଣ ଶ୍ୟାମ

ଯଶୋଦାଙ୍କ କୋଳୁ ଯୋଗମାୟାଙ୍କର

ମଥୁରା ହୁଏ ଗମନ ।


କଂସକୁ ସନ୍ଦେଶ ଦେଇ ସେ ଯାଆନ୍ତି

ତା ମୃତ୍ୟୁ ଗୋପେ ବଢୁଛି

କଂସ ନିଦ ହଜେ ଶୟନେ ସପନେ

କାହାକୁ ନିତି ଦେଖୁଛି ।


ତୁମ ଆଗମନେ ବନ୍ଦୀଗୃହେ ଖେଳେ

ଆନନ୍ଦ ଭାବ ଭାବନା

ଯେବେ ଠାରୁ ବନ୍ଦୀ ପିତା ମାତା ତବ

କଂସ ହୁଏ ଆନ ମନା ।


ମୃତ୍ୟୁ ଭୟେ ତାର ପ୍ରତିଟି ମୁହୂର୍ତ୍ତ

ତୁମରି ଚିନ୍ତନେ ଯାଏ

ଶତୃତା ହେଲେ ବି ତୁମ ଛଡ଼ା ଆଉ

କାହାକୁ ଭାବୁ ନଥାଏ |


ପାପାଚ଼ାରୀ କଂସ ନାଶ କଲ ପ୍ରଭୁ

ମହୀ ଭାର କମାଇଲ

ତୁମ ଚିନ୍ତନରେ ଥିଲା ବୋଲି ସିଏ

ଉଦ୍ଧାର ଯେ କରିଦେଲ |


ଧନ୍ୟ ଦଇତାରୀ ପାପ ତାପ ହାରୀ

ଧନ୍ୟ ହେ କୃଷ୍ଣ ମୁରାରୀ

ଅଧମର ଭାବ ସ୍ଵୀକାର କର ହେ

ବିଶ୍ଵେ ଶାନ୍ତି ଦିଅ ଭରି ।


Rate this content
Log in

Similar oriya poem from Classics