କଣ୍ଟ
କଣ୍ଟ


ଆସିବ ଆସିବ କହିଦେଇ ଗଲ
କଣ୍ଟ ଯାଇଥିଲା ପୁରି
ଆସ କି ନ'ଆସ ତୁମ ମନଇଚ୍ଛା
ମୁଁ"ସିନା ମରୁଛି ଝୁରି,
ମନ କଥା ମନେ ମାରି,
ତୁମ ଆସିବାର ଦିନ ଗଣୁଥିଲି
ମାଣ ଯାଇଥିଲା ପୁରି ।
ଆସିଥିଲ ଦିନେ ମୋ'ମନ ଅଙ୍ଗନେ
ଫୁଟାଇବା ପାଇଁ ହସ
ଲୋଭିଲା ଆଖିରେ ଚାହୁଁଥିଲ ମୋତେ
ମେଣ୍ଟାଇବା ପାଇଁ ଶୋଷ,
ଶୁଖିଲା ଯୌବନ ନଈ,
ସେ ନଈରେ କିଏ ନାଉରୀ ସାଜିବ
ନାଆ ବାହିନେବା ପାଇଁ ।
ଅସ୍ତାଚଳ ତଳେ ସୂରୁଯ ଲୁଚିଲେ
ମାଡ଼ିଆସେ ଘନ ରାତି
ଛୁଇଁ ଛୁଇଁ ଯାଏ ମନ ଉପବନେ
କାମ ବାସନାର ତାତି,
ତୁମେ'କି ବୁଝିବ ସାଥୀ,
ନିଃସଙ୍ଗ ଜୀବନେ କେମିତି କାଟୁଛି
ମାଘମାସ ଶୀତ ରାତି ।