କଳ୍ପନାରେ କଳ୍ପଲୋକ
କଳ୍ପନାରେ କଳ୍ପଲୋକ
ଗଛରେ ବାଇ ଚଢେଇର ବସା
ଆଖିତଳେ ଚହଲା ଫଗୁଣ
ରଙ୍ଗ ବେରଙ୍ଗ ଫୁଲରେ
ସଜେଇ ହୋଇଛନ୍ତି ଫୁଲଗଛ ସବୁ,
ମୁଁ ଖୋଜୁଛି ସମୁଦ୍ର କୂଳରେ ପାଦଚିହ୍ନ
ସମୟର ଚୋରାବାଲିରେ
ହଜି ଯାଇଥିବା ସୁନେଲି ସପନ,
ଢେଉର ଇଙ୍ଗିତ କିଛି
ବୁଝିପାରିଲିନି ବୋଲି
ଛଟପଟ ହେଉଥିଲା ମନ I
ମୁଁ ତ ବିଧାତା ପୁରୁଷ ନୁହେଁ
କେମିତି ବା ବୁଝିଥାନ୍ତି
କାହାମନ ଗୋପନ କଥାକୁ
କେମିତି ବା ପାରିଥାନ୍ତି ଦେଖି
ମନତଳ ନିଷିଦ୍ଧ ଅରଣ୍ୟର ଛବି
କେମିତି ବା ଦେଖାଇ ପାରିଥାନ୍ତି
ହୃଦୟ ତଳର ସବୁ ଜୁଆର ଓ ଭଟ୍ଟା
ଆଖିତଳେ ଟଳମଳ ହେଉଥିବା
ଲୁହର ମୁକୁତା I
ସେଥିପାଇଁ ତ ଭାବୁଛି କବିଟିଏ ହେବି
ହଜିଲା ଦିନର ଅଭୁଲା କାହାଣୀ ସବୁକୁ
ଅକ୍ଳେଶରେ ପଢିନେବି ମନ ସିଲଟରୁ
କଳ୍ପନାରେ ଖୋଲିଦେଇ ଆଖିର ଲଫାପା I