କଳ୍ପନା
କଳ୍ପନା
କଳ୍ପନା ସେ ବିଶାଳ ବିହଙ୍ଗ
ବସିଛି ତା ଡେଣାକୁ ମେଲାଇ ।
ବିଶ୍ରାମ କି ନେଇ ଅଛି ଏବେ
ଉଡି ଉଡି ପଥଶ୍ରାନ୍ତ ହୋଇ ।୧।
ନେଉ ସେ ବିଶ୍ରାମ
ବିଶ୍ରାମ ତା ନୁହେଁ ସହଚର।
ଉଡୁଥିଲା ଉଡିବ ସେ
ସୀମାହୀନ ଅନନ୍ତ ଦିଶାର ।୨।
କଳ୍ପନାର ସଂଜ୍ଞା କେ ଖୋଜିବ
ଅନ୍ତହୀନ ସୀମାହୀନ ଯିଏ।
କେହି କେବେ ଭାବିଛକି ମନେ
କଳ୍ପନା ବି କାଳଗ୍ରସ୍ତ ହୁଏ ।୩।
ସବୁ କିଛି କାଳର ଅଧୀନ
କଳ୍ପନାର କଳାର ସଉଧ ।
ଭାଙ୍ଗି ଯାଇ ଚୁରମାର ହୁଏ
ଆସେ ଯେବେ ବାଦଲ
ବଉଦ। ୪।
କବିଟିର କଳ୍ପନାର ମୂଳେ
ଚିତ୍ରକର ଚିତ୍ର କଳ୍ପନାରେ ।
ଶିଳ୍ପକାର କଳ୍ପନାରେ ଅବା
ମନସ୍ୱୀର ମାନସ ପଟରେ ।୫।
ଯାହାକିଛି ହୁଏ ଉପଗତ
ସେ ସବୁ ତ କାଳର ଆୟତ୍ତ ।
ବୃଥା ଚିନ୍ତା କରିବ କାହିଁକି
କଳ୍ପନା ବି ହେବ କାଳଗ୍ରସ୍ତ ।୬।
ଆଜି ଯେଉଁ କଳ୍ପନା ଜାଗିଛି
ଫଳବତୀ କରାଅ ତାହାକୁ ।
କାଳଗ୍ରସ୍ତ ହେବ ଚାହୁଁ ଚାହୁଁ
ଖୋଜି ଆଉ ନପାଇବ ତାକୁ । ୭।
ବେଳ ଥାଉ କର ପ୍ରତିକାର
ଆବାହନ କର କଳ୍ପନାର ।
କାଳଗ୍ରସ୍ତ ହୋଇବା ଆଗରୁ
ଆଗେ ତାକୁ କାର୍ଯ୍ୟକାରୀ କର ।୮।