କଳଙ୍କିନୀ
କଳଙ୍କିନୀ
॥ ୧॥
ମୁଁ ପ୍ରେମ ପାଗଳୀ
ଅଲିଅଳୀ ବାଳୀ
ଅନ୍ତଃପୁର ବିଳାସିନୀ ।
ବୃଷଭାନୁ ଜେମା
ପରମା ଉତ୍ତମା
ପଦ୍ମଗନ୍ଧା ସୁବାସିନୀ ॥
॥ ୨॥
କହ୍ନାଇ ପ୍ରେମରେ
ଭାସେ ପୁଲକରେ
ରସବତୀ ଅନୁପମା ।
ଲହୁଣୀ କୋମଳ
ଶୁଭ୍ର ଶତଦଳ
ରସରାଜ ପ୍ରିୟତମା ॥
॥୩॥
ପ୍ରେମର ଯମୁନା
ଉଛୁଳି ଉଠେ ମୋ
ଚାହିଁ ଶ୍ୟାମ ନଵଘନ ।
ଛନଛନ ଛାତି
ଗୋପନ ପୀରତି
ଥର ଥର ଅପଘନ॥
॥୪॥
ରାଧା ରାଧା ବୋଲି
ମୋହନ ମୁରଲୀ
ପରମ ଆହ୍ଲାଦେ ଡାକେ ।
ମୋ ହୃଦ କଦମ୍ବ
ତୁଟାଇ ତା ଦମ୍ଭ
କାହ୍ନା ପ୍ରେମମଧୁଚାଖେ ॥
॥୫॥
ମୋ ଶାଶୁ ନଣନ୍ଦ
କରି କେତେ ଛନ୍ଦ
ମନ୍ଦ କହି କନ୍ଦାଇଲେ।
କଳଙ୍କିନୀ କହି
ଅପନିନ୍ଦା ଗାଇ
ପାଗଳିନୀ ନାମଦେଲେ ॥
॥ ୬॥
ସାଜି ପ୍ରଣୟିନୀ
ହେଲି କଳଙ୍କିନୀ
ପ୍ରୀତିର କଜଳ ନାଇ ।
ଲୋକଲଜ୍ଜା ଘାରେ
ମନେ ମନେ ମରେ
କାହ୍ନା ପ୍ରୀତିରସ ପିଇ ॥
॥୭॥
ଗଗନେ ପ୍ରକାଶି
ପ୍ରଭାକର ଶଶି
କଳଙ୍କ ଅଛନ୍ତି ବହି ।
ଉଚ୍ଚରେ ଥିବାରୁ
ଦୃଶ୍ୟ ନ ହେବାରୁ
କିଏ ନ ପାରନ୍ତି କହି ? ॥
॥୮॥
ବଡଲୋକ ଦୋଷ
ରହଇ ଅଦୃଶ୍ୟ
କଳଙ୍କ ହୁଏ ଉପାଧି ॥
ରସିକା ରାଧିକା
କଳଙ୍କିନୀ ଏକା
କିଆଁ ହେବ ଅପରାଧି ? ॥
॥୯॥
ପ୍ରେମର କଳଙ୍କ
ଲାଗି ଲଭେ ସୁଖ
ପାଏ କଳଙ୍କିନୀବାଦ ॥
ଆହ୍ଲାଦିନୀ ରାଧା
କାହ୍ନା ପ୍ରେମେ ବନ୍ଧା
କଳଙ୍କ ବି ପ୍ରୀତିପ୍ରଦ ॥
॥୧୦॥
କଳଙ୍କିନୀ ମୀରା
ପ୍ରୀତି ଧ୍ରୁବତାରା
ଶାଶ୍ବତ ଜାଜ୍ୱଲ୍ୟମାନ ।
କଳଙ୍କ ପ୍ରେମରେ
କଳଙ୍କ ଦେହରେ
ସର୍ବଦା ଲୋଡେ ଜୀବନ ॥
