STORYMIRROR

Lata Behera

Abstract

4  

Lata Behera

Abstract

କଳିଯୁଗ ସ୍ବାମୀ

କଳିଯୁଗ ସ୍ବାମୀ

2 mins
397


କଳିଯୁଗ ସ୍ବାମୀ ଜୀବନ କାହାଣୀ

ବଡ ନିଦାରୁଣ ଅଟେ

ସକାଳରୁ ଯାଇ ସଞ୍ଜ ହେଇଯାଏ

ଅନବରତ ସେ ଖଟେ ।


ତଥାପି ଜୀବନେ ଶାନ୍ତି ତ ନ ଥାଏ

ସ୍ତ୍ରୀ ତାର ଗରଗର

ମାଦଳଙ୍କ ପରି ବସି ଖାଉଅଛୁ

ଝଡୁନି ତ ଦେହ ତୋର ।


ଏମିତି ଅଯୋଗ୍ୟ ଅକର୍ମାଟି ତୁ

ବସି ଖାଲି ଗିଳୁ ଥାଉ

ମୋ ରୋଜଗାରେ ଚଳୁଅଛୁ ତୁହି

ମୁହଁ ତୋର ପୋଡି ଯାଉ ।


ଫୁଟି ଯାଇଛିକି ତୋର ଦୁଇ ଆଖି

ଦେଖାଯାଉ ନାହିଁ କିଛି

ଶୀଘ୍ର ବାସି କାମ ପାଇଟି ସାରେ ତୁ

ଅଫିସ୍ ଯିବାର ଅଛି ।


ଚା କପେ ମୋ ପାଇଁ କରି ଆଣେ

ଶେଯ ଛାଡି ଉଠି ଯିବି

ଚା ନ ପିଇଲେ ନା ନିଦ ଭାଙ୍ଗିବ

କେତେଥର ମୁଁ କହିବି ।


ବିଚରା ସ୍ବାମୀଟି କ'ଣ ବା କରିବ

ଚା କରି ଆଣି ଦେଲା 

ଟିକେ ପାଣିଚିଆ ଲାଗିଲା ପାଟିକୁ

ଉପରକୁ ଫୋପାଡିଲା ।


ରାଗ ଗରଗର ତମ ତମ ହୋଇ

ପଲଙ୍କୁ ଉଠିଲା ସେଇ

ଝାଡୁ ଟିଏ ଆଣି ହାତରେ ଧରେଇ

କହିଲା ଦେ ଝାଟେଇ ।


ବିଚରା ସ୍ବାମୀଟି କ'ଣ ବା କରିବ

ଆଉ ଥରେ ଝାଡୁ କଲା

ଘର ପୋଛା ଆଣି ଘରକୁ ପୋଛିଣ

ରୋଷେଇ ଘରକୁ ଗଲା ।


ରୋଷେଇ କରିଲା ଲୁହ ଝରି ଗଲା

 କିଛି କହି ପାରେ ନାହିଁ 

ରୋବଟ୍ ପରି ସେ ସବୁ କରୁଥାଏ

ସବୁ ଯନ୍ତ୍ରଣାକୁ ସହି ।


ସ୍ତ୍ରୀଟି ତାହାର ଗାଧୋଇ ଯେ ଗଲା 

ଗରମ ପାଣି କରିଲା

ଡାଇନଙ୍ଗ୍ ପରେ ବସି ଗଲା ସିଏ

ଖାଇବା ପରଶି ଦେଲା ।


ଟିକିଏ ଅଲଣା ପାଟିକୁ ଲାଗିଲା

ଶକ୍ତ ଚାପୁଡାଟେ ଦେଲା

ସାମାନ୍ୟ ଟିକିଏ ରୋଷେଇ ଆସୁନି

ଧିକ୍ ଜୀବନ ତୋ ଭଲା ।


କୂଅ ପୋଖରୀକି ଦେଖି ନାହୁଁ ତୁହି

ଦଉଡି ମିଳୁନି ତୋତେ

ବିଷ ଟିକେ ଖାଇ ମରୁନୁ କାହିଁକି 

ଦହଗଞ୍ଜ କରୁ ମୋତେ ।


ଏତେ କହି ତାକୁ ଗୋଇଠା ମାରିଲା

ତଳେ ପଡି ଗଲା ସିଏ

ଆଖିରୁ ତାହାର ଝର ଝର ହେଇ

ଲୁହ ଧାର ବୋହି ଯାଏ ।


କର୍କଶ ସ୍ବରରେ କହିଲା ଘରଣୀ

ଲୁଗା ଶୁଖାଇଣ ଦେବୁ

ଖାଇବା ବାସନ ଭଲକି ମାଜିବୁ

ଘର ମୋର ଜଗି ଥିବୁ ।


ସାଙ୍ଗ ସାଥି ତୋର କେହି ଆସିବେନି

ଏ କଥା ମନେ ରଖିବୁ

ଯଦି ଦୈବାତ ତ କିଏ ଆସି ଯାଏ

କବାଟ କିଳି ପଶିବୁ ।


ଢିମା ଢିମା ଆଖି ତାଗିଦ୍ କରିଣ

ସ୍କୁଲ ବାହାରି ଗଲା

ଗଲା ବେଳେ ତାକୁ ଖୁନ୍ଦା ଟିଏ ଦେଇ

ହାଏ ବାଏ ସିଏ କଲା ।


ପିଲାବେଳ କଥା ମନେ ପଡୁଥାଏ

କେତେ ଗେହ୍ଲେ ବଢି ଥିଲା

ପାଠ ସେ ପଢିଲା ଚାକିରି ନୋହିଲା

କପାଳ ଫଟା ପଡିଲା ।


ବାପା ମାଆ ତାକୁ ବିଭା କରାଇଲେ

ଭାବି ଭଲ ଝିଅଟିଏ 

ଏମିତିକା ତାକୁ ସ୍ତ୍ରୀ ତ ମିଳିଲା

କାନ୍ଦି କାନ୍ଦି ଦିନ ଯାଏ ।


ବାପା ମାଆ ତାର ଗାଆଁରେ ରହିଲେ

ଅଲଗା ରହିଲା ସିଏ

ଦିନେ ବାପା ମା ସେବା ନ କରି ସେ

ସ୍ତ୍ରୀ ସେବା କରୁ ଥାଏ ।


ନିଜ ହାତେ ଖାଇ ଜାଣି ସେ ନ ଥିଲା

ସ୍ତ୍ରୀକୁ ତା ଖୋଇ ଦିଏ

ରାତିରେ ଶୋଇବା ସମୟେ ତାହାକୁ

ତେଲ ମାଲ୍ସି ଘଷେ ସିଏ ।


ଯେତେ ମରି ଯାଆ କହୁଥାଏ ସିଏ

ଇଏ କେବେ ମରେ ନାହିଁ 

ଆତ୍ମହତ୍ୟା ଅଟେ ମହାପାପ ବୋଲି

ଡରି ଜଳି ବଞ୍ଚେ ସେହି ।


ସାବିତ୍ରୀ ଆସିଲେ ସମସ୍ତଙ୍କ ଆଗେ 

ସିଧା ଦଣ୍ଡବତ ହୁଏ

ଏମିତି ସ୍ବାମୀଟେ ଜନ୍ମ ଜନ୍ମ ମିଳୁ

 ଲୋକ ଆଗେ କହୁ ଥାଏ ।


ବିଚରା ସ୍ବମୀଟି ଚାହିଁ ରହିଥାଏ

ଆଖି ଲୁହ ଝରିଯାଏ

ସ୍ତ୍ରୀକୁ ତାହାର ତଳୁ ଉଡେଇଣ

ସ୍ମିତ ହସ ଟିଏ ଦିଏ ।


ସେ ସ୍ମିତ ହସର ଦୁଃଖର କାହାଣୀ

ପଢି ପାରନ୍ତି କେହି

ମନେ ଗୁଣୀ ହୁଏ ଏମିତି ସ୍ତ୍ରୀଟେ

ମୋ କପାଳେ ଦେଲୁ ବିହି ।


ପାଞ୍ଚ ଆଙ୍ଗୁଠି ତ ସମାନ ନୁହଁଇ

ସବୁ ନୁହଁନ୍ତି ଏକାପରି

କଳିଯୁଗ ସ୍ବାମୀ କୋଉଠି ନୃଶଂସ

କୋଉଠି ହୁଅଇ ନାରୀ ।



Rate this content
Log in

Similar oriya poem from Abstract