କଳିଯୁଗ ସ୍ବାମୀ
କଳିଯୁଗ ସ୍ବାମୀ
କଳିଯୁଗ ସ୍ବାମୀ ଜୀବନ କାହାଣୀ
ବଡ ନିଦାରୁଣ ଅଟେ
ସକାଳରୁ ଯାଇ ସଞ୍ଜ ହେଇଯାଏ
ଅନବରତ ସେ ଖଟେ ।
ତଥାପି ଜୀବନେ ଶାନ୍ତି ତ ନ ଥାଏ
ସ୍ତ୍ରୀ ତାର ଗରଗର
ମାଦଳଙ୍କ ପରି ବସି ଖାଉଅଛୁ
ଝଡୁନି ତ ଦେହ ତୋର ।
ଏମିତି ଅଯୋଗ୍ୟ ଅକର୍ମାଟି ତୁ
ବସି ଖାଲି ଗିଳୁ ଥାଉ
ମୋ ରୋଜଗାରେ ଚଳୁଅଛୁ ତୁହି
ମୁହଁ ତୋର ପୋଡି ଯାଉ ।
ଫୁଟି ଯାଇଛିକି ତୋର ଦୁଇ ଆଖି
ଦେଖାଯାଉ ନାହିଁ କିଛି
ଶୀଘ୍ର ବାସି କାମ ପାଇଟି ସାରେ ତୁ
ଅଫିସ୍ ଯିବାର ଅଛି ।
ଚା କପେ ମୋ ପାଇଁ କରି ଆଣେ
ଶେଯ ଛାଡି ଉଠି ଯିବି
ଚା ନ ପିଇଲେ ନା ନିଦ ଭାଙ୍ଗିବ
କେତେଥର ମୁଁ କହିବି ।
ବିଚରା ସ୍ବାମୀଟି କ'ଣ ବା କରିବ
ଚା କରି ଆଣି ଦେଲା
ଟିକେ ପାଣିଚିଆ ଲାଗିଲା ପାଟିକୁ
ଉପରକୁ ଫୋପାଡିଲା ।
ରାଗ ଗରଗର ତମ ତମ ହୋଇ
ପଲଙ୍କୁ ଉଠିଲା ସେଇ
ଝାଡୁ ଟିଏ ଆଣି ହାତରେ ଧରେଇ
କହିଲା ଦେ ଝାଟେଇ ।
ବିଚରା ସ୍ବାମୀଟି କ'ଣ ବା କରିବ
ଆଉ ଥରେ ଝାଡୁ କଲା
ଘର ପୋଛା ଆଣି ଘରକୁ ପୋଛିଣ
ରୋଷେଇ ଘରକୁ ଗଲା ।
ରୋଷେଇ କରିଲା ଲୁହ ଝରି ଗଲା
କିଛି କହି ପାରେ ନାହିଁ
ରୋବଟ୍ ପରି ସେ ସବୁ କରୁଥାଏ
ସବୁ ଯନ୍ତ୍ରଣାକୁ ସହି ।
ସ୍ତ୍ରୀଟି ତାହାର ଗାଧୋଇ ଯେ ଗଲା
ଗରମ ପାଣି କରିଲା
ଡାଇନଙ୍ଗ୍ ପରେ ବସି ଗଲା ସିଏ
ଖାଇବା ପରଶି ଦେଲା ।
ଟିକିଏ ଅଲଣା ପାଟିକୁ ଲାଗିଲା
ଶକ୍ତ ଚାପୁଡାଟେ ଦେଲା
ସାମାନ୍ୟ ଟିକିଏ ରୋଷେଇ ଆସୁନି
ଧିକ୍ ଜୀବନ ତୋ ଭଲା ।
କୂଅ ପୋଖରୀକି ଦେଖି ନାହୁଁ ତୁହି
ଦଉଡି ମିଳୁନି ତୋତେ
ବିଷ ଟିକେ ଖାଇ ମରୁନୁ କାହିଁକି
ଦହଗଞ୍ଜ କରୁ ମୋତେ ।
ଏତେ କହି ତାକୁ ଗୋଇଠା ମାରିଲା
ତଳେ ପଡି ଗଲା ସିଏ
ଆଖିରୁ ତାହାର ଝର ଝର ହେଇ
ଲୁହ ଧାର ବୋହି ଯାଏ ।
କର୍କଶ ସ୍ବରରେ କହିଲା ଘରଣୀ
ଲୁଗା ଶୁଖାଇଣ ଦେବୁ
ଖାଇବା ବାସନ ଭଲକି ମାଜିବୁ
ଘର ମୋର ଜଗି ଥିବୁ ।
ସାଙ୍ଗ ସାଥି ତୋର କେହି ଆସିବେନି
ଏ କଥା ମନେ ରଖିବୁ
ଯଦି ଦୈବାତ ତ କିଏ ଆସି ଯାଏ
କବାଟ କିଳି ପଶିବୁ ।
ଢିମା ଢିମା ଆଖି ତାଗିଦ୍ କରିଣ
ସ୍କୁଲ ବାହାରି ଗଲା
ଗଲା ବେଳେ ତାକୁ ଖୁନ୍ଦା ଟିଏ ଦେଇ
ହାଏ ବାଏ ସିଏ କଲା ।
ପିଲାବେଳ କଥା ମନେ ପଡୁଥାଏ
କେତେ ଗେହ୍ଲେ ବଢି ଥିଲା
ପାଠ ସେ ପଢିଲା ଚାକିରି ନୋହିଲା
କପାଳ ଫଟା ପଡିଲା ।
ବାପା ମାଆ ତାକୁ ବିଭା କରାଇଲେ
ଭାବି ଭଲ ଝିଅଟିଏ
ଏମିତିକା ତାକୁ ସ୍ତ୍ରୀ ତ ମିଳିଲା
କାନ୍ଦି କାନ୍ଦି ଦିନ ଯାଏ ।
ବାପା ମାଆ ତାର ଗାଆଁରେ ରହିଲେ
ଅଲଗା ରହିଲା ସିଏ
ଦିନେ ବାପା ମା ସେବା ନ କରି ସେ
ସ୍ତ୍ରୀ ସେବା କରୁ ଥାଏ ।
ନିଜ ହାତେ ଖାଇ ଜାଣି ସେ ନ ଥିଲା
ସ୍ତ୍ରୀକୁ ତା ଖୋଇ ଦିଏ
ରାତିରେ ଶୋଇବା ସମୟେ ତାହାକୁ
ତେଲ ମାଲ୍ସି ଘଷେ ସିଏ ।
ଯେତେ ମରି ଯାଆ କହୁଥାଏ ସିଏ
ଇଏ କେବେ ମରେ ନାହିଁ
ଆତ୍ମହତ୍ୟା ଅଟେ ମହାପାପ ବୋଲି
ଡରି ଜଳି ବଞ୍ଚେ ସେହି ।
ସାବିତ୍ରୀ ଆସିଲେ ସମସ୍ତଙ୍କ ଆଗେ
ସିଧା ଦଣ୍ଡବତ ହୁଏ
ଏମିତି ସ୍ବାମୀଟେ ଜନ୍ମ ଜନ୍ମ ମିଳୁ
ଲୋକ ଆଗେ କହୁ ଥାଏ ।
ବିଚରା ସ୍ବମୀଟି ଚାହିଁ ରହିଥାଏ
ଆଖି ଲୁହ ଝରିଯାଏ
ସ୍ତ୍ରୀକୁ ତାହାର ତଳୁ ଉଡେଇଣ
ସ୍ମିତ ହସ ଟିଏ ଦିଏ ।
ସେ ସ୍ମିତ ହସର ଦୁଃଖର କାହାଣୀ
ପଢି ପାରନ୍ତି କେହି
ମନେ ଗୁଣୀ ହୁଏ ଏମିତି ସ୍ତ୍ରୀଟେ
ମୋ କପାଳେ ଦେଲୁ ବିହି ।
ପାଞ୍ଚ ଆଙ୍ଗୁଠି ତ ସମାନ ନୁହଁଇ
ସବୁ ନୁହଁନ୍ତି ଏକାପରି
କଳିଯୁଗ ସ୍ବାମୀ କୋଉଠି ନୃଶଂସ
କୋଉଠି ହୁଅଇ ନାରୀ ।
