କଳାଠାକୁର
କଳାଠାକୁର
କଳାଠାକୁର ମୋ କାଳିଆ ସାଆନ୍ତ
ଜଗତର ନାଥ ସେହି ।
ମହୋଦଧି କୂଳେ କଳ୍ପବଟ ମୂଳେ
ନୀଳାଚଳେ ବିଜେ ହୋଇ ।୧।
ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା
ଚକ୍ରରାଜ ସୁଦର୍ଶନ ।
ଶ୍ରୀ ଭୂ ମାଧବଙ୍କୁ ସଙ୍ଗେ ଘେନି ନିଜେ
ବିଜେ ରତ୍ନ ସିଂହାସନ। ୨।
ବଡ ବଡ ଧଣ୍ଡାମାଳ ଲମ୍ବିଥାଏ
କୁସୁମ ତୁଳସୀ ଘେନି ।
ସେବତୀର ଚୂଳ ଦୂରକୁ ଦିଶଇ
କି ଶୋଭା ନୟନ ବେନି ।୩।
କର୍ପୂର ଚନ୍ଦନ ବାସ ଚହଟାଇ
ଷାଠିଏ ପଉଟି ଖାଇ ।
କେତେ ନୂଆ ବେଶ ହେଉଥାନ୍ତି ନିତି
ଭକତେ ଆନନ୍ଦ ଦେଇ ।୪।
ମିଶିଗଲେ ଆଖି ଆଖିରେ ତାଙ୍କର
ଲେଉଟି ଆସଇ ନାହିଁ ।
କି କିମିଆ ସତେ ଭରିଛି ଆଖିରେ
କିଏ ତା ପାରିବ କହି ।୫।
ତେତିଶି କୋଟି ଦେବ ଦେବୀ ଖଟନ୍ତି
ନିତି ନିତି ଶ୍ରୀ ପୟର ।
କଳାଠାକୁରଙ୍କୁ ବଡ ଶୋଭାବନ
ତାଙ୍କ ଶ୍ରୀରଙ୍ଗାଅଧର ।୬।
ମାନବୀୟ ଲୀଳା କରନ୍ତି ଠାକୁରେ
ନିଜେ ଭକତ ହିତରେ ।
ବାର ମାସେ ତେର ଯାତରା ଲଗାନ୍ତି
ଦେଖି ଭକତ ନିସ୍ତରେ ।୭।
ମୂଢମନ ତୋତେ କହୁଛି ବୁଝାଇ
ତୁଣ୍ଡେ ତାଙ୍କ ନାମ ଧର ।
ତାଙ୍କ ଗୁଣ ଗାଇ ନାମ ତାଙ୍କ ଧ୍ୟାୟି
ଭବସାଗରୁ ଉଦ୍ଧର ।୮।