ବାବାଶ୍ରୀ ଗଣେଶ
ବାବାଶ୍ରୀ ଗଣେଶ


ଭାଦ୍ରବ ମାସର ପୁଣ୍ୟ ଶୁକ୍ଳ ପକ୍ଷେ
ଗଣେଶ ଚତୁର୍ଥୀ ପଡ଼େ
ମହା ଆନନ୍ଦରେ ଗଣେଶଙ୍କ ପୂଜା
ହୁଏ ଭକ୍ତ ଜନ ଭିଡ଼େ l
ମସ୍ତକେ ତିଳକ କନ୍ଧରେ ପଇତା
ଆହେ ପ୍ରଭୁ ଏକଦନ୍ତ
ଅନ୍ଧାର ପଥର ତୁମେ ହିଁ ଆଲୋକ
ବିଦ୍ୟାପତି ଦୟାବନ୍ତ l
ହେ ଗୌରୀନନ୍ଦନ ବିଘ୍ନ ବିନାଶନ
ଗୁଣନିଧି ଗଜାନନ
କାର୍ତ୍ତିକେୟ ଭ୍ରାତା ବାବା ଶ୍ରୀଗଣେଶ
ଜ୍ଞାନଦାତା ଭଗବାନ l
ବିବାହ ବ୍ରତରେ ଆଗ ତୁମ ନାମ
ତୁମେ ତ ଜଗତ ଜିତା
ସବୁ ଯାଗଯଜ୍ଞେ ପ୍ରଥମ ଦୀପରେ
ଆଗ ହୁଏ ତୁମ ପୂଜା l
ମମତାସୁରକୁ ବଶୀଭୂତ ପାଇଁ
ତୁମେ ହେଲ ବିଘ୍ନରାଜ
ଅହଂକାର ଛାଡି ମୂଷିକଙ୍କ ରାଜା
ହେଲେ ତୁମ ଯମରାଜ l
ଦେବାଦେବୀଙ୍କର ଅଗ୍ରରେ ପୂଜିତ
ମାତାଶ୍ରୀ ପାର୍ବତୀ ସୁତ
ଦନ୍ତଭାଙ୍ଗି ତୁମେ ଲେଖି ଦେଇଥିଲ
ବ୍ୟାସଙ୍କ ମହାଭାରତ l
ହେ ସୃଷ୍ଟି ରକ୍ଷକ ଜୀବନ ନାବିକ
ତୁମେ ଥିଲେ ସବୁ ଜୟ
ସକଳ ପୂଜାର ତୁମେ ଆଦ୍ୟ ଧୂପ
ବକ୍ରତୁଣ୍ଡ ମହାକାୟ l
ସଞ୍ଜ ଆଳତିରେ ପ୍ରାର୍ଥନା ସଭାରେ
ତୁମେ ହିଁ ପ୍ରଥମ ଶ୍ଳୋକ
ସବୁ ଆରମ୍ଭର ତୁମେ ହିଁ ନାୟକ
ଆହେ ମହା ବିନାୟକ l
ଦିଅ ଦିବ୍ୟ ବୁଦ୍ଧି ଦିଅ ଦିବ୍ୟଜ୍ଞାନ
ଲଡୁପ୍ରିୟ ଗଣପତି
ତୁମେ ଶୁଭଶାନ୍ତି ବିଦ୍ୱାନ ମୂରତି
ତୁମ ବିନୁ ନାହିଁ ଗତି l
ଜ୍ଞାନର ସାଗର ବିଦ୍ୟାର ଭଣ୍ଡାର
ଘେନ ପ୍ରଭୁ ମୋ ପ୍ରଣତି
ସକଳ ଶକ୍ତିର ତୁମେ ହିଁ ଆଧାର
କୋଟିସୂର୍ଯ୍ୟ ତୁମ ଜ୍ୟୋତି l