STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ଜିଲ୍ଲା ପରିକ୍ରମା: କେନ୍ଦ୍ରାପଡା

ଜିଲ୍ଲା ପରିକ୍ରମା: କେନ୍ଦ୍ରାପଡା

1 min
398


କନ୍ଦରାସୁରର ରାଇଜରୁ ହେଲା

      କେନ୍ଦରାପଡାର ନାମ

କି ଅବା କେନ୍ଦରା ବାଦକ ରାଇଜ

      କେନ୍ଦ୍ରାପଡା ସେହି ଭୁମ।


ଜମ୍ବୁ ଦ୍ୱୀପ ମଧ୍ୟେ ଭାରତ ଖଣ୍ଡରେ

       ଭାରତ ଦେଶର ସ୍ଥିତି

କେନ୍ଦ୍ରାପଡା ଜିଲ୍ଲା ସମୁଦ୍ର ମଧ୍ୟରେ 

       ଜମ୍ବୁ ଦ୍ୱୀପ ଅବସ୍ଥିତି।


ପ୍ରଳମ୍ବଗ୍ନ ରୋହିଣୀ ସୁତ ବଳଭଦ୍ର

     ପ୍ରଳମ୍ବାସୁରକୁ ବଦ୍ଧି

ତୁଳସୀ ବିବାହ କରି ସେହି ସ୍ଥଳ

     ତୁଳସୀ କ୍ଷେତ୍ର ପ୍ରସିଦ୍ଧି।


ଅବିଭକ୍ତ କଟକର ଉପାନ୍ତରେ

       ଉପକୂଳବର୍ତ୍ତୀ ଜିଲ୍ଲା

ପାରାଦ୍ବୀପ ଠାରୁ ଅତି ନିକଟରେ

       ବତୀଘର ହୁକାଟୋଲା।


ରାଜନଗର ପାଶେ ବିଶ୍ୱ ପ୍ରସିଦ୍ଧ 

       ଭିତର କନିକା ସ୍ଥଳ

କୁମ୍ଭୀର ଅଭୟାରଣ୍ୟ ଦେଖିବାକୁ

       ଲୋକଭିଡ ମାଳମାଳ।


ଓଡିଶା ମାଟିର ଗର୍ବ ଗୌରବ

      ଗହୀରମଥା ସମୁଦ୍ର

ଅଭୟାରଣ୍ୟ ମାନ୍ୟତା ଲାଭ

     ଅଲିଭ ରିଡଲେ ସାନ୍ଦ୍ର।


ଲକ୍ଷେ ଯୋଜନରୁ ଅଣ୍ଡା ଦେବାପାଇଁ

        ଅଲିଭ ରିଡଲେ ଆସେ

କେନ୍ଦ୍ରାପଡା ଭୂଇଁ ଅପବିତ୍ର ହୁଏ

     ମଲା ଦେହ ତାଙ୍କ ଭାସେ।

 

କେନ୍ଦ୍ରାପଡାରୁ ରାଜକନିକା ଡେଇଁ

         ଆଖଣ୍ଡଳମଣି ଧାମ

ନିକଟରେ ପୁଣି ମାଆ ବିରଜାଇ

         ନର ହୁଏ ପୂର୍ଣ୍ଣକାମ।


ଚଣ୍ଡିଖୋଲ ପଟେ ପଞ୍ଚୁପାଣ୍ଡବରୁ

      କେନ୍ଦ୍ରାପଡା ଆରମ୍ଭ

ଟିକିଏ ଆଗରୁ ଓଳାଶୁଣୀ ମଠ

      ଓଢଣ ଷଷ୍ଠୀର ଦମ୍ଭ।


ଭାବର ଭିକାରୀ ଭିକାରୀ ବଳଙ୍କ

      ଜନ୍ମ ଭୂମି କେନ୍ଦ୍ରାପଡା

ଗାୟକ ସମ୍ରାଟ ହରିନାଥଙ୍କର

      ଜନମ ମାଟି ସେ ପଡା।


ସଂଗୀତ ସୁଧାକର ବାଳକୃଷ୍ଣ ଦାସ

       ବାଣୀକଣ୍ଠ ହରିଚନ୍ଦନ

ଅକ୍ଷୟ ସଂଗୀତ ସୃଷ୍ଟିକର୍ତ୍ତା ଆମ

     ଖୋକା ଭାଇ ଜନ୍ମ ସ୍ଥାନ।


କେନ୍ଦ୍ରାପଡା କେବେ ପଡାଟିଏ ଥିଲା

       ମୁନିସିପାଲଟି ଆଜି

ରେଳ ଯୋଗାଯୋଗ ସଡକ ସଂଯୋଗ

       ମାରିନେବ ତହିଁ ବାଜି।


ବାଗଦା ଚିଙ୍ଗୁଡି କଙ୍କଡା ଭେକଟି

        ସାମୂଦ୍ରିକ ଖାଦ୍ୟ ଲୋଭ

କେନ୍ଦ୍ରାପଡା କରେ ଅଚୀରେ ପୁରଣ

       ଉପକୂଳ ଜିଲ୍ଲା ଲାଭ।


ଓଡିଶା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

      କେନ୍ଦ୍ରାପଡାର ସାନ୍

ଚିକିମିକି ଆଲୁଅରେ ଝଲସିବ

      ଭୁଲିବ ନାହିଁ ଟି ଧନ୍। 


କେନ୍ଦ୍ରାପଡାର ରସାବଳୀ ଯିଏ

     ନ ଖାଇଛି ବୃଥା ଜୀବ

କେନ୍ଦ୍ରାପଡା ଥରେ ବୁଲି ଆସିବାକୁ

      ନ ଭୁଲିବ ଭ୍ରାତୃ ଦେବ।


ବଳଦେବଜୀଉ ସୁଦୟା ରଖିବ

       କେନ୍ଦ୍ରାପଡା ସୁରକ୍ଷିତ

ବନ୍ୟା ବାତ୍ୟା ଯା'ର ଚିର ସହଚର

       ନ ହେଉ ସେ ଅରକ୍ଷିତ।


ବିଦେଶୀ ଅନୁପ୍ରବେଶକାରୀଙ୍କ ପେଣ୍ଠ

      କେନ୍ଦ୍ରାପଡାର ଦୁଃଖ

ରାଜନେତାଙ୍କର ସ୍ୱାର୍ଥ ସିଦ୍ଧି ପାଇଁ

      ମୂଳ ବାସିନ୍ଦା ବିମୁଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract