ସ୍ୱାଧୀନତା ଦିବସ
ସ୍ୱାଧୀନତା ଦିବସ
ସ୍ୱାର୍ଥ ଅଳନ୍ଧୁରେ ରଙ୍ଗହୀନ ଆଜି
ଏ ସ୍ୱାଧୀନତା ଦିବସ
ଲୋକ ଦେଖାଣିଆ ଉତ୍ସବ ପାଳନ
ମୁହଁରେ କୁଟିଳ ହସ l
ହିଂସା ପ୍ରତିହିଂସା ଛଳନା ଗନ୍ଧରେ
ଆମେ ତ ଅଣନିଶ୍ୱାସୀ
ଆଗ ଭଳି ଆଉ ଅଗଷ୍ଟ ପନ୍ଦର
ଆଣୁ ନାହିଁ ହସଖୁସି l
ମଣିଷ ପଣିଆ ନାହିଁ ଏ ସମାଜେ
ସଭିଏଁ ତ ସ୍ୱାର୍ଥପର
ଆପଣା ସ୍ୱାର୍ଥରେ ସର୍ବେ ମସଗୁଲ
କେହି ନୁହଁନ୍ତି କାହାର l
ଦୁର୍ନୀତିର ରଙ୍ଗ ସବୁଠାରେ ବୋଳା
ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ
ବଡ଼ବଡ଼ିଆଙ୍କ ହୀନ ଚକ୍ରାନ୍ତରେ
ଗରିବଟା ହନ୍ତସନ୍ତ l
ସ୍ୱଚ୍ଛତା ଏଇଠି କାଗଜ କଲମେ
ନୀଳ ବର୍ଣ୍ଣର ଶୃଗାଳ
ଗାଆଁ ରୁ ସହର ସବୁଠି ଚାଲିଛି
ତୁଚ୍ଛ ରାଜନିତି ଖେଳ l
ନୈତିକତା ଶୂନ୍ୟ ଆଜି ଏ ଦିବସ
ନାହିଁ ଆଉ ଭାଇଚାରା
ସ୍ୱାଧୀନତା ଏଠି ଗୁମୁରି କାନ୍ଦୁଛି
ହୋଇ ଗୋଟେ ବେସାହାରା l
ନାରୀ ସ୍ୱାଧୀନତା ପ୍ରହସନ ଆଜି
ଭାଷଣ ବାଜିରେ ସାର
ବିକାଶ ଏଇଠି ଅଧ ପନ୍ତରିଆ
ଯୋଜନା ପାଣିରେ ଗାର l
ଚୋରି ଡକାୟତି ହତ୍ୟା ମାରପିଟ୍
ରଚେ ନିତି ବର୍ବରତା
ମିଛ ଅନ୍ଧାରରେ ହଜି ତ ଯାଇଛି
ଆଜି ଆମ ସ୍ୱାଧୀନତା l
ସମର୍ପିତ ମନେ ଦେଶପାଇଁ ଆମେ
କରିବା ଆସ ଶପଥ
ଦେଶ ସେବା କରି ଏ ଜୀବନ ଦେବା
ଉଡାଇ ବିଜୟ ରଥ l