ଆଞ୍ଜୁଳାଏ ଆକାଶ
ଆଞ୍ଜୁଳାଏ ଆକାଶ


ଜୀବନର ମାନେ ତାହାଲେ କଣ ବନ୍ଧନ,
ନା ବନ୍ଧନରୁ ମୁକ୍ତିଲାଭ ଜୀବନର ଲକ୍ଷ୍ୟ ?
ନା ଏମିତି ନିଜେ ସୃଷ୍ଟ, ବନ୍ଧନରୁ ମୁକ୍ତିଖୋଜି,
ପୁଣି ଏକଲାପଣ ପାଖରେ ପରାଜିତ ହୋଇ ବଂଚିବା କଣ ଜୀବନ?
ପୁଣି ନିଜ ପାଇଁ ମାର୍ଗଦର୍ଶକ ଖୋଜିବା...!!
କଣ ତାହାଲେ ଚାହେଁ ଏ ମଣିଷ ମନ....?
ଜୀବନ ଅଛି ତ ମନନ ଚାହୁଁଥିବା
ଏମିତି ବହୁତକିଛି ଅଛି...,ଅଛି ନା?।୧
ପାଇଥିବା ପୁଞ୍ଜି ସବୁକୁ
ଖର୍ଚ୍ଚ ତ କରିଦେବାକୁ ହେବ,
ଲୁହକୁ ପୋଛି ଦେଇ-
ଏଡେଇ ଯାଇଥିବା ଗଳିରେ
ପୁଣି କେବେ ପାଦ ଥାପିବାକୁ ତ ହେବ,
ସୁଖକୁ ଗଣ୍ଠିଲିରେ ବାନ୍ଧୁବାନ୍ଧୁ
ହାରି ଯିବାର ଚିନ୍ତା ବେଳେବେଳେ
ଦୁଃଖ ତ ବହୁତ ଦିଏ,
ହେଲେ ଦୁଃଖ କଣ ଛଡେଇ ନେଇପାରେ
ଜୀବନର ହକ।୨
ଏମିତି ତ ସାରା ଜୀବନ...
ସମୟକୁ ସାହସର ସହ କେବଳ
ସାରି ଦେବାକୁ ହୁଏ
ଅନ୍ଧାର ଘରେ ଦରାଣ୍ଡି ଦରାଣ୍ଡି,
ପହଞ୍ଚିବାକୁ ହୁଏ ମହମବତୀ ପାଖରେ,
ଅତି ପରିଚିତ ଘରେବି ପାଦ ଝୁଣ୍ଟି ପଡେ
ପୁଣି ଥରେ ନିଜେ ନିଜେ ଉଠିବାକୁ ହୁଏ,
ତାଳି ମାରି ପରିହାସ କରିବାକୁ-
ଅବା ସାବାସି ଦେବାକୁ କେହି ବି ନଥାଏ।