STORYMIRROR

Mamata Bebarta Pattnaik

Others

3  

Mamata Bebarta Pattnaik

Others

ବିଦ୍ରୋହ ର ପ୍ରତିଶୃତି

ବିଦ୍ରୋହ ର ପ୍ରତିଶୃତି

1 min
835

ମୁଁ ନାରୀ,

ମୁଁ ଦୁର୍ବଳ ଲତାଟିଏ ପରି,ଲେସିହେଇ ରହିଥାଏ ସ୍ନେହର ଛାଇତଳେ,

ବଂଚିଥାଏ ସମ୍ପର୍କର ସେତୁ ଟିଏ ହୋଇ,

ମାତ୍ର ମୁଁ ବି ହୋଇପାରେ ଆଗ୍ନେୟଗିରି

ମୁଁ ତ' ମଳୟ,ମୁଁ ବି ସାଜିପାରେ ପ୍ରଳୟଙ୍କରି ।


ମୋତେ ତୁମେ ମୁକ୍ତିଦିଅ,ଚୁଲିମୁଣ୍ଡ ଧୂଳିଧୁଆଁ ଘରୁ

ପିଲାଦିନେ ଡୋରୀବନ୍ଧା ବସ୍ତାନି ଭିତରୁ.

ଏବଂ ତୁମେସବୁ ଦେଖିନିଅ,

କେତେବାଟ ମୁଁ ଚାଲିପାରେ ସମସ୍ୟାର ସର୍ପିଳପଥରେ ଏବଂ କତେଦୁର ଚଢ଼ିପାରେ

ସଫଳତାର ଖସଡ଼ା ସିଡି ରେ।


ମତେ ଜଣାଥାଏ,ତୁମେସବୁ ଭଲପାଅ ମତେ

ମୁଁ ଯଦି ରହିଥାଏ ସେବାଦାସୀ ହୋଇ

ଯଦି ମୁଁ ବଧିର ବା ମୁକ ସାଜିଥାଏ

ଯଦି ମୁଁ ଦିନରାତି ଖଟି ଚାଲିଥାଏ

ସ୍ୱାର୍ଥ ପାଇଁ ସବୁକିଛି ହାତେଇ ନିଅ ତୁମେ

ଏବଂ ଖୁସିହୁଅ,ନାଗରା ବଜାଇ ଘୋଷଣା କର

ମତେ ଖାଲି ସର୍ଵସଂହା ନାଁ'ଟିଏ ଦିଅ।


ପ୍ରତିବାଦର ପ୍ରଶ୍ନ ଯଦି ଉଠେ

ଅସହ୍ୟ ହୁଏ ଯେବେ ତୁମ ଅତ୍ୟାଚାର

ତୁମେସବୁ ବଦଳାଅ ରୁପ,

ଚିହ୍ନାପଡେ ତୁମର ସ୍ୱରୂପ

ଗୋଲାପର ଶେଯପରି ବିଛେଇ ଦେଇଥିବା,

ମୋ ଶରୀର ପାଇଁ,

ପେଟ୍ରୋଲ ଯୋଗାଡ ରେ ଲାଗିପଡ଼ ତୁମେ।


ମୋର ପାରିଲାପଣରେ ତୁମର ଈର୍ଷା

ତୁମେ ବନ୍ଦ କରିଦିଅ ସଫଳତାର

ଯେତେ ସବୁ ରାସ୍ତା,

ପ୍ରକାଶ ମୋ ପାଇଁ ହୁଏ ସାତ ସପନ

ଈର୍ଷା,ଅହଂକାର,ଅସୁୟାରେ ଜଳୁ ଥାଅ ତୁମେ

ଭୁଲିଯାଇ ସମ୍ପର୍କର ସପ୍ତସ୍ୱର ଆଉ ବେଦୀମୂଳେ ଗଣ୍ଠିପକା,ମନ୍ତ୍ର ଉଚ୍ଚାରଣ।


ଏବେତ ସହିବାର ଶେଷସୀମାରେ ମୁଁ

ଖୋଲା ଆକାଶ ଜଳଜଳ ଦିଶିଲାଣି ମୋତେ

ହାତ ଠାରି ଡ଼ାକିଲେଣି ପକ୍ଷୀ ଯେତେ,

କାହିଁକି ମୁଁ ନାରୀ ଆଜି ତୁମ ପିଞ୍ଜରାରେ?


ମୁଁ ଆଜି କର୍ତ୍ତବ୍ୟର ଆମନ୍ତ୍ରଣ ଶୁଣେ,

ବିଦ୍ରୋହ ର ସ୍ତବ ପାଠ କରେ

ମୁ ଯଦି ସୃଷ୍ଟିକାରି ,ସଂହାର ବି କରିପାରେ ମୁଁ ସୃଷ୍ଟିରକ୍ଷା ପାଇଁ ଯଦି ମାତୃରୂପ ଧରେ,

ମୁଁ ମଧ୍ୟ ରକ୍ତମୁଖା କାଳୀ ସାଜିପାରେ।


ମୋ ଅଧିକାର ମତେକେହି ନଦେଲତ ନାହିଁ

ଏଣିକିମୁଁ....ମୋ ଅଧିକାର ଛଡ଼େଇ ଆଣିବି

ସଜାଡ଼ିବାକୁ ମାଂସ ଲୋଭୀ ଶୃଗାଳ ମାନଙ୍କୁ ଦଶ ଭୁଜା ଦୁର୍ଗା ମୁଁ ସାଜିବି,

ନିଜ ପାଇଁ ନିଜେ ଅସ୍ତ୍ର ଯୋଗାଡ଼ କରିବି,

ମୋ ଅଧିକାର ଏଣିକି ମୁଁ ଛଡାଇ ଆଣିବି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍