କଳାମାଣିକ
କଳାମାଣିକ
ବାଙ୍କ ଚାହାଣୀରେ କରେ କୁହୁକ
ଗୋପ କଟକରେ କେତେ ନାଟ କରେ
ଦେଖିଛ କେ ତା'ର ଛଇ ଛଟକ ।
ମୟୂରଚୂଳିଆ କଦମ୍ବ ମୂଳିଆ
ଦରଶନେ ହୁଏ ନେତ୍ର ଅଟକ ।।
ମୂରଲୀ ବଜାଇ ଚିତ୍ତକୁ ମଜ୍ଜାଇ
ରାଧା ରାଧା ବୋଲି ଛାଡଇ ଡାକ ।
ତ୍ରିଭଙ୍ଗୀ ଠାଣିରେ ଯମୁନା କୂଳରେ
କଦମ୍ବ ମୂଳରେ ରହିଛି ଦେଖ ।।
ସେ ରାଧାମୋହନ ଗୋପ ଗାଈ ମନ
ମୋହିଲା ବଂଶୀରେ କରି କୁହୁକ ।
ଭାବ ବିନୋଦିଆ ଲଗାଇଲା ଭାବ
ହରିଲା ଗୋପୀଙ୍କ ବୁଦ୍ଧି ବିବେକ ।।
ବାଙ୍କ ଚାହାଣୀରେ ଅଛି କି କୁହୁକ
ଦେଖିଲେ ନ ପଡେ ନେତ୍ର ପଲକ ।
ଗୋପି ଚୋରାଇଲେ ମନକୁ ତାହାର
ମନ ତା'ର ନାହିଁ ମନରେ ରଖ ।।
ପୂତନା ପରାଣ ଶୋଷିଥିଲା ଯେବେ
ସ୍ତନ ପାନ କଲା ଶିଶୁ ବାଳକ ।
ଅଘା ବକା ଶକଟା କଂସ ମାରିଲା
ଗୋବର୍ଦ୍ଧନ ତୋଳି ରଖିଲା ଟେକ ।।
ଲୀଳା ବିନୋଦିଆ କଲା କେତେ ଲୀଳା
ମାୟାରେ ସୃଜିଲା ଗୋପ ବାଳକ ।
ଧେନୁ ବତ୍ସା ବାଙ୍କଚୂଳିଆ ସୃଜିଲା
ବ୍ରହ୍ମା ତାକୁ କଲେ ସ୍ତୁତି ଅନେକ ।।
ଧରମର ହାନି ଯେବେ ଯେବେ ହୁଏ
ଧରାରେ ଜନମି ସୃଷ୍ଟି ଚାଳକ ।
ଦୁୁଷ୍ଟଙ୍କୁ ବିନାଶି ସନ୍ଥ ଜନ ପାଳି
ସଦା ସେ ହୁଅଇ ଧର୍ମ ରକ୍ଷକ ।।
ମିତ୍ର ଅରି କେହି ନାହାନ୍ତି ତାହାର
ସଭିଙ୍କର ସେହି ମୁକ୍ତି ଦାୟକ ।
ମଧୁର ସେ ନିଜେ ମଧୁର ତା' ନାମ
ଜନମ କରମ ଦିବ୍ଯ ତାରକ ।।
ସେ କଳାମାଣିକ ବାଙ୍କ ଚାହାଣୀକୁ
ନିଜ ଦୃଷ୍ଟିପଥେ ଟିକେ ନିରେଖ ।
ଭଣେ ନିରଞ୍ଜନ ତୁଟିବ ଅଜ୍ଞାନ
ଭଜ ନାମ ଯିବ ସଂସାର ଦୁଃଖ ।।
