କଳା ମେଘ ଦେଖି ନାଚେ ମୟୂର
କଳା ମେଘ ଦେଖି ନାଚେ ମୟୂର
ବହୁ ଅଛି ସୁଲୁ ସୁଲୁ ପବନ
କୋମଳ ପଲ୍ଲବେ ଶୋହୁଛି ବନ ।
ପ୍ରକୃତି ରାଣୀ ଯେ ସୁଷମା ଭରା
ଧରିଛି ଶ୍ୟାମଳ କାନ୍ତି ମଞ୍ଜୁଳା ।
ସହଜେ ବରଷା କାଳ ଆଗତ
ପୁଲକିତ ହୋଇ ମୟୂର ନୃତ୍ୟ ।
ଆରମ୍ଭ କରନ୍ତି ମନ ଖୁସି ରେ
କଳା ମେଘ ମାଳା ଆକାଶ କୋଳେ ।
ଖେଳି ଖେଳି ନିତି ଭାସି ବୁଲଇ
ବରଷା ଆଗମ ସୂଚନା ପାଇ ।
ଆକାଶ ରେ କଳା ମେଘ କୁ ଚାହିଁ
ମୟୂର ନାଚଇ ପୁଚ୍ଛ ମେଲlଇ ।
ରହି ରହି ଶୁଭେ ଅସନୀ ସ୍ଵନ
କଦମ୍ବ ସୁଗନ୍ଧେ ମହକେ ବନ ।
ନୀଳ ନଭେ କଳା କାଦମ୍ବିନୀ ର
ଦେଖି ଭାଳେ ନିଶ୍ଚେ ବର୍ଷିବ ନୀର ।
ଚପଳା ର ଚିକି ମିକି ଆଲୋକେ
କେକା ରବ ରଚି ଚାରୁ ମୟୁଖେ ।
ଷଡ଼ଜ ସ୍ୱର ରେ ଗାଇ ସେ ଗୀତ
ମନ ମଉଜ ରେ କରଇ ନୃତ୍ୟ ।
ସୁନୀଳ ଗ୍ରିବା କୁ ହଲାଇ ଧୀରେ
ସୁମଞ୍ଜୁଳ ଚୂଳ ଦୋଳାଇ ଶିରେ ।
ଛନ ଛନ ମନେ କଳlପ ଟେକି
ସୁଢ଼ଳ ନୟନେ ଜୀମୂତ ଦେଖି ।
କଳା ମେଘୁ କିବା ଝରିବ ମୋତି
କେକା ରଵ ରଚି ଉଠଇ ମାତି ।
କଳା ମେଘ ଦେଖି ନାଚେ ମୟୂର
କମନୀୟ ପୁଚ୍ଛ ଦିଶେ ମଧୁର ।
ମଧୁର ମୂର୍ଚ୍ଛନା ଭରା ଆଳାପେ
ମୟୂର ନର୍ତ୍ତନ ଭଙ୍ଗୀ କି ରୂପେ ।
ଶୋଭା ପାଏ ଏହି ବରଷା କାଳେ
ଘନ ଘନ ଘନ ସଲିଳ ଢାଳେ ।
ଦମ୍ଭଳି ଆରବେ ଭଳି କି ଭଳି
ଦମ୍ଭେ ଲମ୍ଫ ତୋଳି ନାଚେ ବରହୀ ।
ସତେ କିବା ମେଘ ର ନିରlଜନା
ପୁଚ୍ଛ ଶିଖା ଟେକି କରଇ ନାନା ।
କହଇ ମେଘ କୁ ଅତି ଆଦରେ
ଜଳ ଦିଅ ପ୍ରାଣୀ ତୃଷା ନାଶ ରେ ।
ମେଘ ଆଗମନେ ଅତି ସନ୍ତୋଷ
କଳା ମେଘ ଦେଖି କରଇ ନୃତ୍ୟ ।

