କଇଁ
କଇଁ
ଆକାଶ ଛାତିରେ ଚନ୍ଦ୍ରମା
କଇଁ ଫୁଟିଛି ଜଳେ
ଏକ ଲୟେ ଚାହିଁ ରହିଛି
ସେ ନୀରବ ନିଶ୍ଚଳେ ।
ବାଦଲ ଦେହରେ ଜହ୍ନଟି
ଯେବେ ଲୁଚି ଯାଉଛି
ଛଳ ଛଳ ଆଖି ତାହାର
ମୁହଁ ଶୁଖି ଯାଉଛି ।
ଢଳ ଢଳ କଇଁ ପତରେ
ପଡେ ବରଷା ବିନ୍ଦୁ
ସେ ବିନ୍ଦୁ ଭିତରେ କଇଁଟି
ଯେବେ ଦେଖେଟି ଇନ୍ଦୁ ।
ଜହ୍ନର ଜ୍ୟୋତ୍ସ୍ନାରେ ଝୁମି ସେ
ତା'ର ପ୍ରେମରେ ଭିଜେ
ଶୀତଳ ସ୍ପର୍ଶର ଛୁଆଁରେ
ତାର ମନଟି ହଜେ ।
ଦିନ ସାରା ଜଳେ ଅପେକ୍ଷା
କରେ ସିଏ ଜହ୍ନକୁ
ଜହ୍ନ ଯେବେ ଦିଶେ ଆକାଶେ
ଖୋଲେ ତା' ପାଖୁଡାକୁ ।
ଜହ୍ନର ଶୀତଳ ଜ୍ୟୋତ୍ସ୍ନାରେ
ଝୁମି ନାଚଇ ସିଏ
ପବନର ସାଥେ ଦୋହଲି
ପ୍ରେମ ସଙ୍ଗୀତ ଗାଏ ।
ପ୍ରେମ ପାଗଳିନୀ କଇଁଟି
ଝୁରେ ଜହ୍ନ ପ୍ରେମକୁ
ପ୍ରେମର ପ୍ରୀତିର ସ୍ପର୍ଶରେ
ପାଏ ତା' ସାନ୍ନିଧ୍ୟକୁ ।
ରଙ୍ଗ ବେରଙ୍ଗରେ ଫୁଟୁଛି
ଧଳା, ନାଲି, ଗୋଲାପି
ନୀଳ, ହଳଦିଆ ସୌନ୍ଦର୍ଯ୍ଯ
ଜହ୍ନ ଦେଖୁଛି ଛପି ।
କଇଁ ଯେବେ ଚାହିଁ ଦିଅଇ
ଟିକେ ଲାଜେଇ ଯାଏ
ମନ ହୃଦୟରୁ ଜହ୍ନକୁ
ଭଲ ସେ ପାଉଥାଏ ।
ମନେ ମନେ ଜହ୍ନ ହସଇ
ଦେଖେ ତା'ର ମୁଖକୁ
ହେଲେ ନା ଛୁଇଁ ପାରୁଛି
ସିଏ କେବେ କଇଁକୁ ।
ପବିତ୍ର ତାଙ୍କର ବନ୍ଧନ
ପ୍ରେମ ଅଟେ ଗୋପନ
ଗୋପନ ଭିତରେ ରହିଛି
ଅପୂର୍ବ ସେ ମିଳନ ।
ଜହ୍ନ ବିନା ନା କୁମୁଦ
କେବେ ଜଳେ ଫୁଟଇ
ଫୁଟିବା ଆଗରୁ ଜଳରେ
ଦେଖେ ଚନ୍ଦ୍ରମା ଛାଇ ।
ଅପୂର୍ବ ତାଙ୍କର ବନ୍ଧନ
ଯେତେ ହେଉ ଦୂରତା
ଶାଶ୍ଵତ ପ୍ରେମରେ ହଜନ୍ତି
ରହି ସେ ନୀରବତା ।
ପ୍ରେମ ପାଗଳିନୀ କଇଁଟି
ସାଜେ ତା'ର ପ୍ରେମିକା
ଦୂରତାଟି ସିନା ରହିଛି
ଜହ୍ନ ଦିଏନା ଧୋକା ।
ଜହ୍ନ ଜୋଛନାରେ ନିଜକୁ
କଇଁ ହଜେଇ ଦିଏ
ଜାଣିପାରେ ନାହିଁ ଶର୍ବରୀ
ଯାଇ ପ୍ରଭାତ ହୁଏ ।
ପ୍ରଭାତ ହୋଇଲେ ପିଲାଏ
ପୋଖରୀକୁ ଯାଆନ୍ତି
ପୋଖରୀକୁ କଇଁ ଫୁଲକୁ
ସିଏ ତୋଳି ଆଣନ୍ତି ।
ଭାଲୁକୁଣୀ ଓଷା କରନ୍ତି
କଇଁ ମାଳ ସଜେଇ
କଇଁ ଜହ୍ନ ଦୁହେଁ ଆମକୁ
ଛନ୍ତି କିଛି ଶିଖେଇ ।
ପାଇବା ଅପେକ୍ଷା ତ୍ୟାଗରେ
ଖୁସି ଥାଏ ବହୁତ
ଯେତେ ଦୂରେ ଥାଉ ସେ ପଛେ
ବୁଝେ ପ୍ରେମ ମହତ୍ତ୍ଵ ।
ପ୍ରେମର ପବିତ୍ର ସର୍ବଦା
ରଖେ ବଜାୟ ଯିଏ
ଏଇ ଦୁନିଆରେ ସବୁଠୁ
ବଡ ପ୍ରେମୀ ବୋଲାଏ ।
କେତେ ଦୂରତାରେ ରହନ୍ତି
କଇଁ, ଆକାଶେ ଶଶୀ
ପବିତ୍ର ତାଙ୍କର ଏ ପ୍ରେମ
ତ୍ୟାଗ ଦିଅଇ ଖୁସି ।
ପାଇବା ଅପେକ୍ଷା ତ୍ୟାଗର
ବୁଝାନ୍ତି ସେ ମହତ୍ତ୍ଵ
ଯେତେ ଦୂରେ ଯିଏ ଥାଆନ୍ତୁ
ରହେ ପ୍ରେମ ବନ୍ଧୁତ୍ବ ।