STORYMIRROR

Biswajit Sahoo

Tragedy Inspirational

4  

Biswajit Sahoo

Tragedy Inspirational

କିଛି କଥା କିଛି ବ୍ୟଥା

କିଛି କଥା କିଛି ବ୍ୟଥା

1 min
254

ନୂଆ ଦଶନ୍ଧିର ପ୍ରଥମ ବର୍ଷରେ,

କରୋନା ରୋଗର ଭୟ,

ମହାମାରୀ ରୂପେ ମୃତ୍ୟୁ ବିଭୀଷିକା,

ପରିବେଶ ଶୋକମୟ।


କାଳରୂପୀ ଏହି କରୋନା ରୋଗର,

ପ୍ରଭାବ ରହିଛି କେତେ,

ବିଶ୍ବାସ ହେଉନି ପରିସ୍ଥିତି ଦେଖି,

ମ୍ରିୟମାଣ କରେ ମୋତେ।


ହାଟ ବଜାରଠୁ ବିଦ୍ୟାଳୟ ଯାଏ,

ସବୁଠି ପଡ଼ିଛି ତାଲା,

ନାହିଁ ଏବେ ଆଉ ଲୋକଙ୍କ ଗହଳି,

ନାହିଁ ଆଉ ଠେଲାପେଲା।


ଅଧା ରହିଗଲା ପିଲାଙ୍କ ପରୀକ୍ଷା,

ଭବିଷ୍ୟତ ଅନ୍ଧକାର,

ସାଙ୍ଗ ସାଥେ ମଜା, ଖେଳକୁଦ ସବୁ,

ହୋଇଗଲା ସାତ ପର।


ଦାଦନ ଶ୍ରମିକ ଘର ବାହୁଡିଲେ,

ଯନ୍ତ୍ରଣାର ସୀମା ନାହିଁ,

ବିଦେଶ ଫେରନ୍ତା ମହାମାରୀ ଧରି,

କେଜାଣି ଫେରିଲେ କାହିଁ ?


ମାୟା ନଗରୀରୁ ମାୟା ତୁଟି ଗଲା,

ସବୁ କିଛି ହେଲା ପର,

ପରିବାର ସବୁ ଏକାଠି ହୋଇଲେ,

ଯୋଡ଼ି ହେଲା ସ୍ନେହ ଡୋର।


ସ୍ଥାନେ ସ୍ଥାନେ ପୁଣି ବିରହ ବିଚ୍ଛେଦ,

ସଂପର୍କୀୟ ହେଲେ ରୋଗୀ,

ମୃତ୍ୟୁର ଶେଯରେ ଶୋଇବା ପାଇଁକି,

କିଏ ହେବ ପ୍ରତିଭାଗୀ ?


ଯଥେଷ୍ଟ ହେଲାନି କରୋନାର ପୀଡ଼ା,

'ଅମ୍ଫାନ' ବି ପହଞ୍ଚିଲା,

ପାଦ ସାଥେ ପାଦ ମିଶେଇବା ପାଇଁ,

ମୃତ୍ୟୁ ଲୀଳା ରଚିଗଲା।


ମହାମାରୀ ପୁଣି ବାତ୍ୟାର‌ ପ୍ରଭାବ,

ବର୍ଣ୍ଣିବାକୁ ନାହିଁ ଶକ୍ତି,

ଭୟଙ୍କର ଏହି ମନୁଷ୍ୟ ସଂହାର,

କେମିତି ମିଳିବ ମୁକ୍ତି ?


ବାରମ୍ବାର ପ୍ରଶ୍ନ ଉଙ୍କି ମାରେ ମନେ,

ଏ କି' ହେଲା ସଂସାରର,

ଉଦ୍ଧାରିବା ପାଇଁ ପ୍ରଭୁ ଜଗନ୍ନାଥ,

ନେବେ କେବେ ଅବତାର ?


ରଥଯାତ୍ରା ହେଲା ଭକ୍ତଙ୍କ ବିହୁନେ,

ଜମା ସହି ହେଲା ନାହିଁ,

ପଲକ ବିହୀନ ଚକା ଆଖି କ'ଣ

କିଛି ଦେଖି ପାରୁନାହିଁ ?


ଶେଷରେ ଏତିକି କରୁଛି ମୁଁ ଆଶା,

ଦୂରେଇ ଯିବ ଏ ଦୁଃଖ,

ଭାବଗ୍ରାହୀ ଯଦି କୃପା କରିଦେବେ,

ଭରି ଯିବ ସବୁ ସୁଖ।


ଦେଖିବ ନିଶ୍ଚୟ ଫେରିବ ଆମର,

ଶାନ୍ତି ଭରା ପରିବେଶ,

କର୍ମରେ ଚଞ୍ଚଳ ହୋଇଯିବେ ସବୁ,

ମୁଖରେ ଫୁଟାଇ ହସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy