କିଆଁ ମୋତେ ନ ମାରିଲ ?
କିଆଁ ମୋତେ ନ ମାରିଲ ?
ହେ ସୃଷ୍ଟିକରତା ଧାରଣ କରତା
ପ୍ରାଣ ସଞ୍ଚାର କରତା
ତୁମେ ହିଁ ମୋହର ପ୍ରଥମ ବିଧାତା
ଆହେ ମୋର ପିତାମାତା
ତୁମରି ହୃଦୟ ଆକାଶେ ସାଜିଲି
ତୁମ ପ୍ରେମର ସନ୍ତକ
ପୁଣି କିଆଁ ମୋତେ ପାଇବାକୁ ତୁମ
ମନେହେଲା କେଉଁ ଦକ
ଯେବେଠୁ ମୋ ଦେହେ ସଞ୍ଚରିଲା ପ୍ରାଣ
ଅନୁଭବ କଲି ସତେ
ତୁମେ ମୋର ସବୁ ତୁମକୁ ପାଇ ମୁଁ
ଗର୍ବିତ ହୋଇବି କେତେ
ତୁମର ପରଶ ପାଇବି ବୋଲି ମୁଁ
ଅପେକ୍ଷିତ ଥିଲି କାହୁଁ
କି କଥା କରିଲ ପ୍ରାଣ ମୋର ନେଲ
ଜୀବ ଗଲା ଚାହୁଁ ଚାହୁଁ
ଜନମ ଆଗରୁ ମୃତ୍ୟୁ ଦେଲ ମୋତେ
ଲିଙ୍ଗ ନିରୂପଣ କରି
କନ୍ୟା କି ବୁଝେନା ପିତାମାତା ଦୁଃଖ
ହତ୍ୟା କଲ ଜାଣି କରି
ଦୁନିଆ ଦେଖିବି ମା'କୋଳେ ଖେଳିବି
ଦେଖୁଥିଲି ଯାହା ସ୍ୱପ୍ନ
ସ୍ୱାର୍ଥପର ହୋଇ ଦୂରେଇଲ ମୋତେ
ନାଶ କଲ ସବୁ ପୂଣ୍ୟ
ଅବୈଧ ଅବା ମୁଁ ଅବାଞ୍ଛିତ ଯଦି
ଥିଲି ବୋଲି ଭାବୁଥିଲ
ପ୍ରାଣର ସଞ୍ଚାର ହୋଇବାଆଗରୁ
କିଆଁ ମୋତେ ନ ମାରିଲ
କିଆଁ ମୋତେ ନ ମାରିଲ
