ଖୁସିର ଶିଖର
ଖୁସିର ଶିଖର
ଲଣ୍ଠନ ଧରିକି ଖୁସିକୁ ଖୋଜିଲେ
ଖୁସି କେବେ ମିଳେ ନାହିଁ
ଭୋକିଲା ପେଟରେ ଅନ୍ନ ଦେଲେ ମୁଠେ
ସବୁ ସୁଖ ମିଳିଯାଇ
ସୁଖକୁ କେବେ ମୁଁ ଦେଖିନି ପାଖରୁ
ତାର ରଙ୍ଗ ଧଳା ନାଲି ଗେରୁ
ଛୋଟ ପିଲାଟିକୁ ସ୍ନେହ ଟିକେ କଲେ
ହସ ଝରେ ଖିଲି ଖିଲି ତା' କଅଁଳ ଓଠରୁ
ସୁଖର ସୁଉଚ୍ଚ ଅଟ୍ଟାଳିକାରେ ମୁଁ
ଅଛି ବୋଲି ମନେ କରେ...
ସୁଖ କେବେ ମିଳେ ନାହିଁ ତ୍ରିତଳ ପ୍ରାସାଦେ
ସୁଖର ସୁଉଚ୍ଚ ପର୍ବତରେ ଅଛି ବୋଲି
ମୁଁ ଅନୁଭବ କରେ ସେତେବେଳେ
ଯେତେବେଳେ କେହି ଗୁରୁଜନ
ହସ ଭରି ଓଠେ କରେ ଆଶୀର୍ବାଦ
ଖୁସି ମିଳେ ସେତେବେଳେ
ଯେତେବେଳେ ଫୁଟଫାଥରେ
ଯାକି ଯୁକି ହୋଇ ଶୋଇ ଥିବା ନିରାଶ୍ରୟକୁ
ଖଣ୍ଡେ ଚଦର ଘୋଡେ଼ଇ ଦିଏ
ଶୀତର ପ୍ରକୋପରେ ଥୁରୁ ଥୁରୁ ଶରୀରଟି ତାର
ମୁହୂର୍ତ୍ତକ ପାଇଁ ହେଲେବି ଶାନ୍ତିରେ ଶୋଇଯାଏ
ଏହାଠାରୁ ବଡ ଖୁସିର ସୁଉଚ୍ଚ ଶିଖର
ଆଉ କୋଉଠି ବା ଥାଏ !
ସେତେବେଳେ ମୋତେ ଲାଗେ
ସବୁଠାରୁ ସୁଉଚ୍ଚ ଖୁସିର ଶିଖରରେ ମୁଁ।