କାହାରିକୁ କ୍ଳେଶ ନ ଦିଅ କେବେ
କାହାରିକୁ କ୍ଳେଶ ନ ଦିଅ କେବେ
ସଂସାର ଭିତରେ ଘର କରିଛନ୍ତି
ସ୍ନେହ ସହଯୋଗେ ବଞ୍ଚିବା ପାଇଁ
ଈର୍ଷା ହିଂସା ଦ୍ବେଷ ପୂରାଇ ମନରେ
କିଆଁ କାହାଠୁ ରହିବା ଦୂରେଇ ?
ନିଜ ଅନୁଭବ କହି ଦିଏନି କି
ବେଦନାଦାୟକ ଏ ଭାବ କେତେ ?
ଯେବେ ବୁଝିପାର କିଆଁ ପୁନର୍ବାର
ତା’ ସହିତ ଘାଣ୍ଟିଗୋଳେଇ ଏତେ ?
ଆନେ ଦେଲେ କଷ୍ଟ ନିଜ ମନ ତୁଷ୍ଟ
ହେଉଥାଏ ଯେବେ କାହାର କେବେ
ମଣିଷପଣିଆ ହଜାଇଛି ବୋଲି
ଅନ୍ତରାତ୍ମା ବୋଲେ ନାହିଁ କି ସେବେ ?
ମଣିଷଠୁ ପଶୁପକ୍ଷୀ ତରୁଲତା
ସ୍ଥାବରଜଙ୍ଗମେ ଅଛନ୍ତି ହରି
ସକଳର ମନ ଏହି କଥାଟିକୁ
ଅସ୍ବୀକାର କେବେ ପାରେ କି କରି ?
ଚେତନ ହେଉ କି ଅଚେତନ ଜୀବ
ବୁଝେ ଅନ୍ତର୍ଗତ ଯନ୍ତ୍ରଣା ଯେବେ
ଚେତନ ହୋଇକି ବ୍ୟାଥାକୁ ସମଝି
କାହାରିକୁ କ୍ଳେଶ ନ ଦିଅ କେବେ ।
ଜୀବପ୍ରତି ଦୟା ମାନବ ଲକ୍ଷଣ
ଭୁଲି ନ ଯାଅ କେ ନିଜର ମନୁ
ମଙ୍ଗଳମୟଙ୍କ ଶୁଭ ଆଶିଷରେ
ଉତ୍ଫୁଲ୍ଲିତ ଥାଉ ପରାଣ ତନୁ ।
ଦେଖିବ ଜୀବନ ହେବ ସୁଧାମୟ
ସଦ୍ଭାବନା ଐଶ୍ବରୀୟ ପ୍ରେମରେ
ଜୀବୋନ୍ନତି ମାର୍ଗ ଆପେ ମିଳିଯିବ
ପରମାନନ୍ଦର ଅନୁଭବରେ ।