ଶେଷରେ ତୁମେ ବଦଳିଗଲ ନା
ଶେଷରେ ତୁମେ ବଦଳିଗଲ ନା
ମନେ ପଡେ
ବିବାହ ପରର ପ୍ରତ୍ୟେକ ଘଟଣା
ମୋତେ କ୍ଷଣେ ନଦେଖିଲେ
ଯେମିତି ରହି ପାରୁନଥିଲ
ତୁମର ଚୁପିଚୁପି କଥା
ନାଲି ନାଲି ପାଦର
ରୁଣୁଝୁଣୁ ପାଉଁଜିର ଶବ୍ଦ
ମୋତେ କରୁଥିଲା ବିଭୋର ।
ସତରେ !
ସେତେବେଳେର ସମୟ
ନଥିଲା କେତେ ମଧୁମୟ କୁହତ ?
ଦୁଇ ଜଣଯାକ ପାଖାପାଖି ବସୁଥିଲେ
ମୁଁ ଦେଖୁଥିଲି ତୁମକୁ
ଆଉ ତୁମେ ମୋତେ
ପ୍ରୀତିର ଆଦାନପ୍ରଦାନରେ
ଅତିବାହିତ ସମୟ
ଗପୁଥିଲେ, ହସୁଥିଲେ
କେତେ ମଜା କରୁଥିଲେ ।
ଆଜି ବି ଭୁଲିନି
ବିବାହ ପୂର୍ବର ସେହି ଅପୂର୍ବ ମୁହୂର୍ତ୍ତମାନଙ୍କୁ
ନଦୀକୂଳ, ଆମ୍ବତୋଟା
ଆଉ ଜହ୍ନୟ ଜୋଛନା
ସମସ୍ତେ ଯେମିତି ଆମକୁ ହାତଠାରି ଡାକନ୍ତି
କୋଳେଇ ନିଅନ୍ତି ଅତି ହରଷରେ
ସ୍ବାଗତ କରି ଆମର ମିଳନପର୍ବକୁ ।
ସେହିମାନେ ହିଁ ତ ଆମ ପ୍ରେମର ମୂକସାକ୍ଷୀ ।
ବିବାହର ତିନି ବର୍ଷ ପର୍ଯ୍ୟନ୍ତ
ଖୁବ୍ ଉପଭୋଗ କରିଛନ୍ତି ଜୀବନକୁ
ତା'ପରେ କୁନମୁନର ଜନ୍ମ
ଯେମିତି ସବୁକିଛି ବଦଳାଇ ଦେଲା
ଅଫିସ ବାହାରିଲାବେଳେ
ଜଳଖିଆ, ଜୋତା, ମୋଜା, ରୁମାଲ
ସବୁ ଠିକ୍ ସମୟରେ ଆଗରୁ ମିଳି ଯାଉଥିଲା ।
ମାତ୍ର ଏବେ ଆଉ ସମୟ କାହିଁ ?
ମୋତେ ତୁମେ ଭାଗ କରିଦେଲ ।
ସତରେ !
ଶେଷରେ ତୁମେ ବଦଳିଗଲ ନା ?
ବଦଳିଗଲା ଆମ ପ୍ରେମର ପରିଭାଷା
ଦେଇଥିବା କଥା ରଖି ପାରିଲନି
କେମିତି ରଖିଥାନ୍ତ ଯେ ?
ଜୀବନଟା ପରା ଏମିତି
ସନ୍ତାନକୁ ପାଇଲା ପରେ
ସ୍ତ୍ରୀ କ’ଣ କେବଳ ସ୍ବାମୀର ହେଇପାରେ ?
ତୁମ ମାତୃତ୍ବ ବାଧ୍ୟ କଲା ତୁମକୁ ବଦଳିଯିବାକୁ ।
ଜଣେ ନାରୀର ମାତୃସୁଲଭ ମହନୀୟତାକୁ
ପ୍ରତିପାଦିତ କରିବାକୁ ।

