ଖୁଦରକୁଣୀ
ଖୁଦରକୁଣୀ
ଭୋଦୁଅ ମାସର ସପ୍ତାହନ୍ତ ଆଜି
ଗ୍ରାମ ଲଳନା ହେଲେଣି ମେଳ
ଖୁଦୁରୁକୁଣୀ ରେ ମଙ୍ଗଳା ଙ୍କୁ ପୂଜି
ପାଞ୍ଚିବେ ଭାଇ ମଙ୍ଗଳ ।
ପାହାନ୍ତି ପହରୁ ଶୁଦ୍ଧପୂତ ହୋଇ
ଆଣିଛନ୍ତି ହୁଙ୍କା ମାଟି
ବୁଢ଼ୀ ଭାଳୁକୁଣୀ, ତଅପୋଇ ବାଳା
ଗଢିବେ ମଙ୍ଗଳା ମୂର୍ତ୍ତି ।
ନାନା ଜାତି ଫୁଲ ରୁଣ୍ଡେଇ ଏକାଠି
ଗୁନ୍ଥିଲେଣି ଧଣ୍ଡା ମାଳ
ଓଷାକୋଠି ଟି କୁ ଲିପାପୋଛା କରି
ବାନ୍ଧିଛନ୍ତି ଆମ୍ବଡ଼ାଳ ।
ଯୋଡ଼ି ଶୁଆ ସାରି କଳସ ପଦୁଅଁ
ରଙ୍ଗୀନ କାଗଜେ କାଟି
ପଞ୍ଚବର୍ଣ୍ଣି ମୁରୁଜେ ଚିତା ସେ କାଟନ୍ତି
ପକାଉ ଅଛନ୍ତି ଝୋଟି ।
ଓଷାକୋଠି ଟି କୁ ସଜାଇ ସାରିଲେ
ରବି ଆସି ହେଲେ ମୁଣ୍ଡେ
ଗାଧୋଇବା ପାଇଁ ସଙ୍ଗାତ ବଉଳ
ଡକାଡକି ହେଲେ ଦାଣ୍ଡେ ।
ସାତ ପରକାର ଫୁଲ ଧରିଛନ୍ତି
ନାଆ ନାଉରିଆ ଫୁଲ ଡାଳ
ନଣ୍ଡା ବାବୁରୀ କୁ ବିଛୁଆତି ଛାଟ
ତେନ୍ତୁଳି ଗଛର ଡାଳ ।
ନଦୀତୁଠେ ସବୁ ଗାଧୋଇ ସାରିଣ
କରନ୍ତି ବାଲୁକା ପୂଜା
ତରବର ହୋଇ ସେଠାରୁ ଫେରନ୍ତି
ଘରେ କରନ୍ତି ଭୋଗ ର ସଜା ।
ଲିଆ ଓ ଉଖୁଡା କାକୁଡି କଦଳୀ
ନାନାଜାତି ଭୋଗ ଧରି
କରନ୍ତି ଅର୍ପଣ ମଙ୍ଗଳା ମାଆ ଙ୍କୁ
ହାତଯୋଡି ଅଳି କରି ।
ପୂଜା ସାରି ସର୍ବେ ଏକାଠି ଭୁଞ୍ଜନ୍ତି
ମଙ୍ଗଳା ମାଆ ଙ୍କ ଭୋଗ
ଟାହିଟପରା ସେ କରନ୍ତି ମଜାରେ
ନଥାଏ ମନରେ ରାଗ ।
ସନ୍ଧ୍ୟାବେଳେ ପୁଣି ଦୀପ ବନ୍ଦାପନା
ଦେଉଥାନ୍ତି ହୁଳହୁଳି
ଗାଁ ମୁଣ୍ଡ ଆଉ ତିନିଛେକିଆ ରେ
ଦେଉଥାନ୍ତି ଧୂପ ବୁଲି ।
ରାତି ହେଲେ ପୁଣି ଖୁଦ ତଣ୍ଡୁଳ ରେ
କରନ୍ତି ମଙ୍ଗଳା ପୂଜା
ବୋଇତ ବନ୍ଦାଣ କରନ୍ତି ସଭିଏଁ
ସାଧବ ବୋହୁ କୁ ଦିଅନ୍ତି ସଜା ।
ବହିବୋଲା ସାରି ଦେଇ ହୁଳହୁଳି
କରନ୍ତି ପୂଜା ସମାପ୍ତ
ଘରକୁ ଫେରନ୍ତି ଭୋଗ ଥାଳି ଧରି
ସୁଖେ ପୁହାଅନ୍ତି ରାତ୍ର।
ମାଛି ଅନ୍ଧାର ରୁ ତହିଁ ପରଦିନ
ଦିହୁଡ଼ି ଗୋଟିଏ ଜାଳି
ବିସର୍ଜନ ପାଇଁ ମୂର୍ତ୍ତି ସବୁ ଧରି
ନଦୀତୁଠ କୁ ଯାଆନ୍ତି ଚଳି ।
ଦାନ୍ତ ଘସାଅନ୍ତି ମଙ୍ଗଳା ମାଆ ଙ୍କୁ
ମାଛ ମାରି ଦ୍ୟନ୍ତି ବଳି
ଲିଆ ଫୋଫାଡ଼ନ୍ତି ଜହ୍ନ କୁ ଚାହିଁଣ
ସର୍ବେ ଏକ ସାଥେ ମିଳି ।
ମେଲାଣି ଦେଇଣ ମଙ୍ଗଳା ମାଆ ଙ୍କୁ
ଘରକୁ ଆସନ୍ତି ଫେରି
ଏହିପରି ପ୍ରତି ରବିବାର ଦିନ
ମାଆ ଙ୍କୁ ପୂଜନ୍ତି ବାଳି ।
ଖୁଦ ରଙ୍କୁଣୀ ସେ ଭାଇ ରଙ୍କୁଣୀ ର
ମାଗୁଣି ଶୁଣିବେ ବୋଲି
ଭକତି ମନରେ ପୂଜଇ ବାଳିକା
ମାଆ ଙ୍କୁ ତାହାର ଖାଲି ।
କରେ ସେ ଗୁହାରୀ ମାଆ ମୋ ଭାଇ କୁ
ସର୍ବ କୁଶଳ ରେ ରଖ
କଣ୍ଟା ନ ବାଜୁ ତା ଚାଲିବା ପଥରେ
ପାଉଥାଉ ସବୁ ସୁଖ ।
ବାପାବୋଉ ମୋର ରୁହନ୍ତୁ ଖୁସିରେ
ତାଙ୍କ ଖୁସିରେ ମୋ ଖୁସି
ନିଜ ପାଇଁ ତାର ଲୋଡ଼ା ନାହିଁ କିଛି
ତା ପରି କିଏ ସେ ଅଛି ।
ଓଡ଼ିଆ ଜାତି ର ଅନନ୍ୟ ଭାବର
ନିଦର୍ଶନ ଏହି ଓଷା
କାଳ ଯାଏ ଗଡି ତଥାପି ମନରେ
ବାନ୍ଧି ରହିଅଛି ବସା ।।