କହୁଅଛି ଛୁଇଁ ଆଖି
କହୁଅଛି ଛୁଇଁ ଆଖି
ମାନମୟୀ ତୁମେ ମୋହନ ମୁରଲୀ
ଲୁଚାଇ ରଖିଛ ଏଣେ ,
ତା' ବିହୁନେ କେତେ ବାଉଳି ହୋଇ ମୁଁ
ଖୋଜୁଅଛି ପରା ତେଣେ ।
ମୋ ଉପରେ ଥିବା ସବୁ ରୋଷକୁ ଗୋ
ତା'ଠାରେ ସାରୁଛ କିଆଁ ,
ମନ ଇଚ୍ଛା ଗାଳି ଦେଇ ଶାନ୍ତକର
ହୃଦେ ଜଳେ ଯେଉଁ ନିଆଁ ।
ବଇଁଶୀରେ ମୋର ଶରଧା ବୋଲି ମୁଁ
ପାଶେ ରଖିଥାଏ ସଦା ,
ଯେତେବେଳେ ତାକୁ ସୁରରେ ବଜାଏ
ଶୁଭେ ଖାଲି ରାଧା,ରାଧା ।
ବାଉଳି ହୋଇକି ତୁମେ ଧାଇଁଆସ
କାମଧାମ ଅଧା ଛାଡ଼ି ,
ସେଥିପାଇଁ ମୋର କୁହ କିବା ଦୋଷ
ରହିଛ ଯା' ମୁହଁ ମୋଡ଼ି !!
ତୁମେ ଯେହ୍ନେ ମୋର ହୃଦୟେଶ୍ୱରୀ ଗୋ
ବଇଁଶୀଟି ତେହ୍ନେ ସଖା ,
ତା' ବିହୁନେ ମୋର ନୀରସ ଜୀବନ
କେହ୍ନେ ରହିବି ମୁଁ ଏକା !!
ଫେରାଇ ଦିଅ ସେ ମୋହନ ମୁରଲୀ
ଅନୁରୋଧ ମୋର ରଖି ,
ତୁମ ନାମ ଧରି ଡାକିବିନି ଆଉ
କହୁଅଛି ଛୁଇଁ ଆଖି ।