ଖୋଜୁଛି ମାନବିକ ମୂଲ୍ୟବୋଧ
ଖୋଜୁଛି ମାନବିକ ମୂଲ୍ୟବୋଧ
ଖିଆଲି ଝଡ଼ରେ , ନୀଳ ଆକାଶରେ
ନାଚିବାକୁ ଇଚ୍ଛା ମୋ ମନରେ
ବୁଲିଯିବା ପାଇଁ ଜହ୍ନ ରାଇଜକୁ ବଳିଛି
ମୋର ମନ ଭାବନାରେ ।
ଆହେ ସବୁ ପ୍ରବାଦ ପୁରୁଷ ତୁମ ଅନୁଭବେ
ସତ୍ୟ ସ୍ୱର ହୁଏ ପ୍ରତିଧ୍ବନିତ
ମଣିଷ ମଧ୍ୟେ ମାନବୀୟ ପ୍ରୀତି, ଜୀବନ ଚିନ୍ତା
ଓ ସତ୍ୟ ପାଇଁ ପ୍ରୀତି ହୁଏ ଜାତ ।
ପ୍ରେମ ସାଗରର ବେଳାଭୂମିକୁ ଛାଡି
ଯୁଦ୍ଧର ସାନ୍ନିଧ୍ୟ ଖୋଜୁଛି ଯିଏ ,
ସେ କାହୁଁ ବୁଝିବ ପ୍ରେମ ଶାନ୍ତିର ମହତ୍ତ୍ୱ,
ସ୍ୱାର୍ଥ ରଙ୍ଗେ ଅନ୍ଧ ହୋଇଛି ଯିଏ ।
ପଢିଥିଲି ମୁଁ ଉଦୟନାଥ ଷଡ଼ଙ୍ଗୀଙ୍କ
ଟମ କକାଙ୍କ କୁଟୀର
ପଢିଥିଲି କ୍ରୀତଦାସଟିଏ ଘରରୁ ଯାଏ
ବୁହା ହୋଇ ଅନ୍ୟ ଘର ।
ଦେଇଛି ଲେଖି ପରା ସିଏ ମାନିବାକୁ
ସଦା ହୁକୁମ ମାଲିକର
କଥା ରହିଛି, ଦାସ ନିଜ ସୁଖ ତ୍ୟାଗ କରି
ରହିବ ଅଧୀନେ ମାଲିକର ।
ମାଲିକଙ୍କ ଲାଲ ଆଖି, ଭୋକିଲା ପେଟକୁ
ଚାବୁକ ପ୍ରହାର
ରକ୍ତ ମଧ୍ୟେ ଅଛି କି ଫରକ କାହିଁକି ପୃଥକ
ଦାସ ଓ ମାଲିକର ।
ପରିବର୍ତ୍ତନ ହେଲା ସେଇ ଯୁଗ, ଆସିଗଲା
ପୁଞ୍ଜିବାଦ ସଂସାରରେ
ଶ୍ରମିକ କୃଷକ ଶ୍ରମରୂପୀ ରକତକୁ ଶୋଷି
ଚାଲିଲା ପୁଞ୍ଜିପତି ସହଜରେ ।
ଝୁଣି ଝୁଣି ଖାଏ କାହିଁକି ଏଇ ମଣିଷ,
ଏତେ ଅଟେ ସ୍ୱାର୍ଥପର
ଧର୍ମର ନାଁରେ ଅଧର୍ମ କରନ୍ତି ସତେ
ବଦଳି ଯାଇଛି କି ମଣିଷ ।
ଅବନତି ପଥେ ଯାଆନ୍ତି ଆଗେଇ
ବଦଳି ଯାଇଛି ମଣିଷ
ଭୁଲି ପରମ୍ପରା, ଉପରେ କରନ୍ତି ଭକ୍ତି
ବଦଳି ଯାଇଛି ମଣିଷ ।
ପ୍ରସାଧନେ ବିଳାସବ୍ୟସନେ ସମୟ
କଟାଏ ଏଇ ମଣିଷ
ପୁଞ୍ଜିବାଦୀ ବ୍ୟବସ୍ଥାରେ ସ୍ୱାର୍ଥରେ ପରା
ବଦଳି ଯାଇଛି ମଣିଷ ।
ସରବେ ଜାଣିଛେ ସବୁଦିନ ନରହିବ
ରୂପକାନ୍ତି ଦେହର ସାମର୍ଥ୍ୟ
ସମୟର କରାଳ ଗର୍ଭେ କାଳଚକ୍ର ପେଷି
ସବୁ କରିଦେବ ବ୍ୟର୍ଥ ।
ସରବେ ଜାଣିଛେ, ନରହିବ ତ ଦେହର ସୁଖ,
ଦୁଃଖର ଆଳୟ
ଯାହାର ଜନମ ଅଛି ତାହାର ବାର୍ଦ୍ଧକ୍ୟ ପୀଡା
ମରଣ ନିଶ୍ଚୟ ।
ସତ୍ୟକୁ ଉପଲବ୍ଧି କରି ଓ ସଫଳତା ପାଇଁ
ବ୍ୟତିବ୍ୟସ୍ତ ହୋଇବାନି
ନିଷ୍ଠାର ସହ କାର୍ଯ୍ୟ କରିବା ଓ ପର ନିନ୍ଦା,
ପର ଧନ ପ୍ରତି ଲୋଭଗ୍ରସ୍ତ ହେବାନି ।
ହେ ଦିବ୍ୟଦୃଷ୍ଟି ସମ୍ପନ୍ନ ମାନବିକ ମୂଲ୍ୟବୋଧର
ଯେତେ ଥିଲ ପୂଜକ
ଖୋଜୁଛି ଆପଣମାନଙ୍କୁ, ଧୂପ ନୈବେଦ୍ୟ ଦେଇ
କରିବି ମୁଁ ନତମସ୍ତକ ।
