ଖିଏ ହସ
ଖିଏ ହସ
ଓଠର କୋଣରୁ ଝରି ଯାଏ ଯେବେ
ମଧୁର ହସରୁ ଖିଏ
ସେହି ହସ କହେ ମନ ତଳ କଥା
ନ କହି ବି' ବୁଝି ହୁଏ ।
ହସ ମାନେ ନୁହେଁ ସୁଖର ଜୀବନ
ଦୁଃଖ କେଭେଁ ଛୁଇଁ ନାହିଁ
ଥାଉ ଯେତେ ଦୁଃଖ ହସି ପାରେ ଯିଏ
ତା 'ପରି ମଣିଷ କାହିଁ ?।
ଚେନାଏ ହସ ଯେ ଅନ୍ଧାରେ ଆଲୋକ
ଭରଷାର ପ୍ରତିବିମ୍ବ
ପରକୁ ଆପଣା ନିମିଷକେ କରେ
ଭୁଲି ଯେତେ ଭେଦ ଭାବ ।
କେବେ ଯନ୍ତ୍ରଣା ବି ହସ ହୋଇ ଝରେ
ନ ଦେଇ କା ମନେ ବ୍ୟଥା
ମମତା ମଧୁର ସମ୍ପର୍କର ଡୋର
ଯୋଡ଼ି ରଖି ଥାଏ ସଦା ।
ନିଜେ ହସି ଆନେ ହସାଇ ପାରିଲେ
ଜୀବନ ସରସ ହୁଏ
ଖିଏ ହସ ତଳେ ମିଛ ଦୁନିଆର
ସବୁ ସତ ଶୋଭା ପାଏ।
