କହିବୁ ପ୍ରିୟଙ୍କୁ
କହିବୁ ପ୍ରିୟଙ୍କୁ
କପୋତ ତୁ ଉଡିଯାଇ କହିବୁ ପ୍ରିୟକୁ
ଚାହିଁ ରହିଅଛି ମୁହିଁ ତାଙ୍କରି ପଥକୁ ।
ଆବେଗେ ଅଧିର ହୁଏ ମୋହମୁଗ୍ଧା ପ୍ରାଣ
ପ୍ରୀତିସ୍ପର୍ଶ ପାଇଁ ମୋତେ ପକାଉଛି ରାଣ ।
ଦହୁଛି ବିରହାନଳ ଜୋଛନା ପରଶେ
ଝୁରୁଛି ଖିଆଲି ମନ ଗୁପ୍ତ ଅଭିଳାଷେ ।
ନୀରବ ନିଶିଥ ବିତେ ସ୍ୱପ୍ନୋତ୍ଥିତା ସାଜି
ଆଖିକୋଣେ ଅତୀତର ଉଙ୍କେ ସ୍ମୃତିରାଜି ।
ମନବନେ ଫୁଟୁନାହିଁ ଖୁସିର ସୁମନ
ଫଗୁଣ ବି ଲାଗୁଅଛି ମୋତେ ରଙ୍ଗହୀନ ।
କୋଳାହଳେ ଶୂନ୍ୟତାର ଅବାଧ ପ୍ରବେଶ
ସାଥୀ ବିନା ରାଗିଣୀର ଅନ୍ତରେ ବିରସ ।
ବ୍ୟଥାରେ ମଉଳି ଆଶା କ୍ଷୀଣ ଓଠେ ସ୍ୱର
ଅଜାଣତେ ଝରୁଅଛି ତପ୍ତ ଅଶ୍ରୁଧାର ।
ଶୀତୁଆ ଏ ସମୀରଣ ଭାରି ବେଦରଦୀ
ପ୍ରଣୟ ଗୀତିକା ପାଇଁ କରୁଅଛି ଜିଦ୍ଦି ।
କଟୁନାହିଁ ଦିନ ରାତି ମଗ୍ନ ଭାବନାରେ
ନିନ୍ଦୁଅଛି ଜୀବନକୁ ବସି ପ୍ରତୀକ୍ଷାରେ ।
ଭୁଲିଲେ କି ପ୍ରିୟତମ ଦୂର ଦେଶ ଯାଇ
ମୋର କଥା ମନେ ତାଙ୍କ ପଡୁଛି କି ନାହିଁ ?
ପାଷାଣୀ ମୁଁ ଆଜି ତାଙ୍କ ଅନୁରାଗ ବିନା
ହୃଦୟେ ଭରିଛି କେତେ ଅକୁହା ବିତୃଷ୍ଣା ।
ତୁରନ୍ତ ଖବର ଦେବୁ ଖୋଜୁଛି ପ୍ରେୟସୀ
ଢାଳିଦେବେ ପ୍ରୀତି ସୁଧା ସିଏ ଫେରିଆସି ।
ଭରିଦେବେ ଅଗଣାରେ ପୁଲକର ବାସ
ତୁଟିଯିବ ଅନ୍ତରର ଯେତେ ଅବଶୋଶ ।