କହିବି କଥାଟି
କହିବି କଥାଟି
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
କୁନ୍ତଳା କୁମାରୀ ସାବତ
ଆଜି ବାପ ତୋତେ କହିବି କଥାଟି
ଶୁଣିବୁ ତୁ ଦେଇ ମନ,
କାହା କୁମର ତୁ କାହା କୁଳମଣି
ଜାଣିଚୁ କି ଗଣ୍ଠିଧନ ?
ନିରିମଳ ତୁହି ସରଗ ତରାଟି
ସରଗର ଝରାଫୁଲ,
ହସ, ଭାଷ ତୋର କଉତୁକ ବାବୁ,
କି ମଧୁର, କି ଡଉଲ !
ଆଖି ଦୋ’ ଟି ତୋର ଆନନ୍ଦ ଉଜ୍ଵଳ
ଚଞ୍ଚଳତା ପ୍ରତି ଅଙ୍ଗେ,
ଲବଣି ପିତୁଳା ସ୍ନେହ ସୁଧାବୋଳା
ଖେଳୁ ଖେଳ ନାନା ରଙ୍ଗେ
ଧୁଳି ମାଟି ଘେନି କି ସୁନ୍ଦର ତୁହି
ଗଢି ବସୁ କେତେ ଜାତି,
ପଶୁ, ପକ୍ଷୀ, ଜୀବ, ଦେବତା, ଦେଉଳ,
ସଙ୍ଗୀ ସଙ୍ଗେ ହର୍ଷେ ମାତି l
କେବେ କିରେ ବାପା, ଶୁଣିଛୁ ତୁ କାନେ
ବାପ ଗୋସିବାପ କଥା,
କେତେ ସେ ମହତ କରମ ସାଧିଲେ
ଭାଲିଲେ ହଜିବ ଚେତା l
ବାପ ଦାଦି ତୋର ଥିଲେ ଅତି ବଡ
ରାଖି ଯାଇଛନ୍ତି ନାମ,
ମନ୍ଦିର ତୋଳାଇ ପୋଖରୀ ଖୋଲାଇ
ଗଢି ନାନା ତୀର୍ଥ ଧା
ମ l
କୋଣାର୍କ ମଥାରେ ଜଗନ୍ନାଥପୁରେ
ଉଡେ ତ ତାଙ୍କରି ଛତି,
ଲକ୍ଷେ ଦେଉଳରେ ସଞ୍ଜ ଆଳତିରେ
ଜଳେ ତ ତାଙ୍କରି ବତି l
ନଦୀ ବନ୍ଧ ସବୁ ତାଙ୍କରି କୀରତି
ଥିଲେ ବଡ କାରିଗର,
ପଥର ଉପରେ ଆଙ୍କିଛନ୍ତି ଛବି
ଅପରୂପ ମନୋହର l
ଥିଲେ ବଡ ବୀର ଲକ୍ଷେ ରାଜାଙ୍କର
ମଉଡମଣିର ଜାତି,
ପୁରୁଷ ଉତ୍ତମ, ବୀର ଖାରବେଳ,
ଅନଙ୍ଗଭୀମ, ଯଯାତି l
ମହା ମହା ରାଜା, ମହା ମହା ରଥୀ
ଥିଲେ ତୋର ବାପା ଜେଜେ,
କିଏ ସରି ହେବ ଗୁଣ ଜ୍ଞାନେ ତାଙ୍କୁ
କିଏ ସଋ ହେବ ତେଜେ l
ଓଡିଆ ବୋଲି ତୁ ମାନେ ଗର୍ବ ବହି
ଚାଲରେ ଟେକି ତୋ ମଥା,
ନିତି ମନେ ମନେ ଗୁଣି ହେଉ ଥାଆ
ପୂର୍ବ ପୁରୁଷ କଥା l
ଭଞ୍ଜ, ଜଗନ୍ନାଥ, ସାମନ୍ତ ସିଂହାର
ସାରଲାଦି କବିକୁଳ,
ତୋ’ ପୂର୍ବ ପୁରୁଷ ତାଙ୍କ ସନ୍ତାନ ତୋ
ଏ କଥା ମନ ନ ଭୁଲ l