କହଇ ମନ ଆରେ ମୋ ବୋଲ କର
କହଇ ମନ ଆରେ ମୋ ବୋଲ କର
କହଇ ମନ ଆରେ ମୋ ବୋଲ କର
ହୁଡ଼ିଲେ ପଥ ତୁହି ଦୁଃଖ ଅପାର ।
ତୋହର ପ୍ରତି କର୍ମେ ମିତଟେ ମୁହିଁ
ସାରା ଜୀବନ ତୋର ସାଥିରେ ରହି ।
ସୂଚାଏ ଭଲମନ୍ଦ ସମୟ ଦେଖି
ନ ପାରୁ ଯେତେବେଳେ ତାକୁ ପରଖି ।
ମୁଁ ତୋର ବୁଦ୍ଧି ବଳ ସାହସ ଶକ୍ତି
ଚଳିଲେ ବିପଦରୁ ପାଇବୁ ମୁକ୍ତି ।
ଆନ ବୁଦ୍ଧିରେ ଘୋଡ଼ା ଚଢ଼ିବୁ ଯେବେ
ପଲଟି ପଡ଼ି ଜ୍ଞାନ ହାରିବୁ ତେବେ ।
ଥଟ୍ଟାତାମସା କରି ହସିବେ ଜନ
ନିରିବୁଦ୍ଧିଆର ଏପରି ଜୀବନ ।
ସୁଖ ଶାନ୍ତି ଯେତେକ ଯିବ ଦୂରେଇ
ବିକଳରେ ରୋଦନ କରିବୁ ତୁହି ।
ବିଭୁପ୍ରୀତି ଜୀବନେ ଲଭିବୁ ନାହିଁ
ଜନମ ତୋର କେବେ ସାର୍ଥକ ନୋହି ।
ଜନତା ଜନାର୍ଦ୍ଦନ ସେବାରେ ଲାଗ
ସେଥୁ ପରମ ତୃପ୍ତି ମିଳିବ ଆଗ ।
ସତ୍ଯ ଧରମ ପଥେ ଆଗେଇ ନିତି
କରମ ସାଧନରେ ରଖୁଥା' ମତି ।
ଆପଣାପଣେ ଆନ ହୃଦୟ ଛନ୍ଦି
ତାହାରି ଭିତରେ ତୁ ହୋଇଯା' ବନ୍ଦୀ ।
ମୋର ମୋର ଯାହାକୁ ବୋଲୁଛୁ ତୁହି
ପଥକୁ ସଖା ହେବେ କେବେ କି ସେହି ?
ଜଣେ ହୋଇଲେ ଖଣ୍ଟ ଆନ ଗାରିମା
ଭୁଲାଇ ନେବେ ତୋତେ ସୁପଥ ସୀମା ।
ଦାରା ତନୟ ଧନ କେ ନୁହେଁ କା'ର
ସକଳ ଛାଡ଼ି ତୁହି ବିଷ୍ଣୁଙ୍କୁ ଧର ।
ସେହି ତୋର ଜୀବର ପରମ ଗତି
ତାଙ୍କରି କର୍ମେ ଲାଗି ହେବୁ ମୁକତି ।
