ଖାଲି ହାତରେଖା
ଖାଲି ହାତରେଖା
ଭାବିଥିଲି ଘରଟିଏ କରି ସୁଖରେ ରହିବି
ପରିବାର ଟିଏ ଗଢ଼ି ଦାୟୀତ୍ୱ ବୋହିବି
ଘର ପରିବାରର ଆବଶ୍ୟକତା
ପୁରଣ କରୁ କରୁ ଧାଁ ଦୌଡ଼ କରିକରି
ନିୟତି ମୋତେ ପରିବ୍ରାଜକ କରିଦେଲା ।
ଭାବିଥିଲି ସଂସାରର ଭୁଲିବାକୁ ସବୁ ବନ୍ଧନ
ବହୁଦୂରେ ଏକାନ୍ତବାସରେ ରହିବି
ସମୟ ମୋତେ ପରିବାର ବନ୍ଧନରେ ଛନ୍ଦି
ଜଞ୍ଜାଳମୟ ଘନଘୋର ନଦୀରେ
ବିନା ଆହୁଲାର ଡଙ୍ଗାରେ ବସେଇ
ଗଭୀର ଗଣ୍ଡରେ ଭସେଇଦେଲା ।
ମନରେ ତ ଅଶୁମାରି ଆଶା ଭରିଥିଲା
ସ୍ବପ୍ନତ ଅନେକ ପ୍ରଶସ୍ତ ଥିଲା ଜୀବନରେ
ରାତି ଛୋଟିଆ ମିଳିଲା,
ଆଖିରେ ଲୁହ ଭରିଥିଲା
ନିଦରେ ସ୍ବପ୍ନ ଦେଖିଥାନ୍ତି ଅନେକ ଅବାସ୍ତବ
ମୋ ଆଖିରେ ନିଦ ପାଇଁ ଯାଗା ବି ନଥିଲା ।
ଭାଗ୍ୟ ଭଗବାନଙ୍କ ଉପରେ ସବୁ ଛାଡ଼ିଦେଇ
ନିଜେ ଜିଇଁବା ଶିଖୁଥିଲି
ପରୀକ୍ଷା ଦେଇ ଦେଇ ଧକ୍କା ଖାଇ ଖାଇ
ପାଇଲି କେତେ ହାରିଲି କେତେ
ହିସାବ କରିବାରୁ ଜାଣିଗଲି
ହାତରେ ଖାଲି ରେଖାମାନ ହିଁ ରହି ଥିଲା ।