STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

କେଉଁଠୁ ଆରମ୍ଭ କେଉଁଠି ଶେଷ

କେଉଁଠୁ ଆରମ୍ଭ କେଉଁଠି ଶେଷ

1 min
353


କେଉଁଠୁ ଆରମ୍ଭ କେଉଁଠାରେ ଶେଷ

   ଜୀବନର ଇତିହାସ,

ଅଡ଼ୁଆ ସୂତାର ମିଳୁନାହିଁ ଗଣ୍ଠି

   ସତେ ଅଠାକାଠି ଫାଶ। 


କେଉଁଠୁ ଆରମ୍ଭ କରିବି ଜାଣେନି

   ମୋ ଜୀବନ ରାମାୟଣ,

ଅଭିଶପ୍ତ ରାମଚନ୍ଦ୍ର ଯେଣୁ ମୁହିଁ

   ଭୋଗୁଛି‌ ଯାହା କଷଣ‌।


ରାତି ପାହିଥିଲେ ରାଜା ହୋଇଥାନ୍ତି

   ଦେଖ ଭାଗ୍ୟ ବିଡମ୍ବନା,

ଚ‌ଉଦ ବରଷ ବନବାସ ଦୁଃଖ

   ଅଲିଭା ଦୁଃଖ ଯାତନା ‌।


କିଏ ଜାଣିଥିଲା ଲୋଭ ଅହଂରୂପେ

   ରାବଣଟା‌ ଆସିଯିବ,

ମୋ ଜୀବନ ଶାନ୍ତି ସଖୀ ଜାନକୀକୁ

   ମୋଠାରୁ‌ ଚୋରେଇ ନେବ ।


କୋଉଠୁ‌ଆରମ୍ଭ କୋଉଠାରେ ଶେଷ

   ସେ କଥା ମୁଁ ଜାଣେ ନାହିଁ,

କେବଳ ଜାଣିଛି ଶେଷ ଆରମ୍ଭର

    ଖେଳ ଲାଗିଛି ଏ ମହୀ।


କେତେବେଳେ ପୁଣି ଆରମ୍ଭ ସୁଖରୁ‌

   କେତେବେଳେ ଦୁଃଖେ ଶେଷ,

ପୁଣି କେତେବେଳେ ଦୁଃଖରୁ ଆରମ୍ଭ

    ସୁଖ ମିଳେ ପରିଶେଷ‌।


ମଣିଷର ଜନ୍ମ ଯଦିବା‌ ଆରମ୍ଭ

   ମୃତ୍ୟୁ ହେଉଛି ତା' ଶେଷ,

ଜନମ ମରଣ‌ ଆରମ୍ଭ ଶେଷର‌

   ଖାଲି ଯାହା ଅବଶୋଷ।


ମନରୁ କଳ୍ପନା ଆରମ୍ଭଟି ହୋଇ

   ଆଶା ବନ୍ଧ ବାଡ ଭାଙ୍ଗେ,

ଆଶା ଅସୁମାରୀ ଲୋଭ ବୈତରଣୀ

   ଶେଷ ନାହିଁ ଅନୁଭବେ‌।


କହିପାରୁନି ମୁଁ ଆଶା ଶବ୍ଦଟିର 

   କେଉଁଠାରେ ଶେଷ ଆଦ୍ୟ,

ଆରମ୍ଭ ଯଦିଓ ଅନୁମେୟ ଏଠି

   ନାହିଁ କମା ପୂର୍ଣ୍ଣଚ୍ଛେଦ।


ଲୋକେ କହୁଛନ୍ତି ପୂଜାର ଆରମ୍ଭ

   କାଲିଠାରୁ ହୋଇଅଛି,

ପହରିଦିନକୁ ଶେଷ ହୋଇଯିବ

   ଏ ବିଧି ବିଧାନ ଅଛି।


ଆମ ଗାଆଁ ଯାତ୍ରା ଏ ବର୍ଷ ଆରମ୍ଭ 

   ଆସନ୍ତା କାଲିଠୁଁ ହେବ,

ସାତଦିନ ଯାଏ ଏ ପର୍ବ ଲାଗିବ

   ଆଠଦିନେ ଶେଷ ହେବ।


ମାଟ୍ରିକ ପରୀକ୍ଷା ଆରମ୍ଭ ଏତେରେ‌

   ଏତେ ତାରିଖରେ ଶେଷ,

କିନ୍ତୁ ଜୀବନର ଜଟିଳ ପରୀକ୍ଷା 

   ସବୁବେଳେ ଅସମାପ୍ତ।


ଆରମ୍ଭ ଶେଷର ପଶାପାଲି ପରେ

   ଜୀବନର ଅଟ୍ଟହାସ,

କେଜାଣେ କାହାରକେବେସରେହାଟ 

    ନିଃଶ୍ବାସଟା‌ ଅବିଶ୍ବାସ।


ରାମାୟଣ ଆଦ୍ଯକାଣ୍ଡରୁ ଆରମ୍ଭ 

   ଶେଷଟି‌ ଉତ୍ତରା କାଣ୍ଡ,

ଜନମ‌ ମରଣ ଜୀବନ ଗ୍ରନ୍ଥର

   ତତ୍ତ୍ଵ ଆଦ୍ଯ ଶେଷ ଭେଦ।


କିଛି ଜିନିଷର ଆରମ୍ଭ କି ଶେଷ

   ଆଗରୁ ସ୍ଥିର ହୋଇଛି,

ବାଜିଲେ ଯେମିତି ସମୟ ଘଣ୍ଟିଟି

   ପିରିୟଡ‌ ସରୁଅଛି‌।


କିଛି ଘଟଣାର ଆରମ୍ଭ ଥିଲେ ବି

   ପୁଣି ଶେଷ କୋଉ ଅଛି,

ବୁଢିଆଣୀ ଜାଲ ପରିକା ଜୀବନ

   ଜଞ୍ଜାଳ ଘୋଟି‌ ଯାଉଛି।


ବିଦ୍ଯାର ଆରମ୍ଭ ଚାଟଶାଳୀରୁ ତ

    ଶେଷ କେବେ ଜଣା ନାହିଁ,

ସମୟ‌ର କେଉଁ ଶେଷ ଆରମ୍ଭର

    ସୂଚନା ମୁଁ ପାଉନାହିଁ।


ଶୀର୍ଷକରୁ କବି କବିତା ଆରମ୍ଭ

    ଭାବନାର ଅନ୍ତ ନାହିଁ,

ମୁଁ ବଦ୍ଧ ଜୀବଟି ପରାଏ‌ ବଞ୍ଚିଛି‌

    ଆଦ୍ୟ ପ୍ରାନ୍ତ‌ ପାଉନାହିଁ।


କେଉଁଠୁ କବିତା କଲି ମୁଁ ଆରମ୍ଭ 

    କେଉଁଠି କରିଲି ଶେଷ,

ସେ ଭାବ ମୋହର ଜ୍ଞାନ ଅଗୋଚର

   ଯେଣୁ ମୁଁ ମୂର୍ଖ ଅବଶ୍ୟ।


Rate this content
Log in

Similar oriya poem from Tragedy