କେଉଁ ପ୍ରକାର ଏ ଗର୍ବ
କେଉଁ ପ୍ରକାର ଏ ଗର୍ବ
ଚାକର ଚାକିରୀ କରିଥିଲି ବୋଲି
ସମ୍ମାନ ପାଇଲି ନାହିଁ
ମନ ହୃଦୟରେ କ୍ରୋଧ ବସା ବୋଲି
ସୁଖ ବି ପାଇଲି କାହିଁ?
କାହିଁକି କେଜାଣି ଖଳଜନ ହେଲି
ମିତ୍ରତାର ଭାବ ନାହିଁ
ଲୋଭୀ ହେବା ଯୋଗୁଁ ସତ୍ୟତା ଦୂରେଇ
ଫିଙ୍ଗିଲି କାମନା ଚାହିଁ।
ପ୍ରତିକ୍ଷଣ ମୋର ହୃଦୟ କନ୍ଦର
କାମାତୁର ଯେବେ ହେଲା
ଏ ଲଜ୍ୟା ଜୀବନ ପାଖରୁ ଦେଖୁନ
ଆପେ ଖସି ଚାଳିଗଲା ।
ଚୋରି ଯେଉଁଦିନୁ କରିଲି ସଂସାରେ
ହୃଦୟ ନାହିଁରେ ମୋର
ପାଠ ନ ପଢ଼ିକି ମୂର୍ଖରେ ମୁଁ ଗଣା
ବିବେକ ମରିଛି ଯା'ର।
ପାପ ତ କରିଛି ତ୍ରାହି କି ପାଇବି
ଲୋଡ଼ା ନିଶ୍ଚେ ଯମଦ୍ୱାର
ମୃତ୍ୟୁର କାଳରେ ଅନୁତାପ କଲେ
କି ଲାଭ ହୋଇବ ମୋର?
ଧନ ଅର୍ଜନ ମୁଁ କରିଛି ବହୁତ
ଭୋଜନ କରିଛି କେତେ
ପର ଦୁଃଖ ଦେଖି କାନ୍ଦେନି ମୋ ପ୍ରାଣ
ପାଷାଣ ହୃଦୟ ସତେ।
ମଣିଷ କାହିଁକି ପଶୁ ଆଉ ପକ୍ଷୀ
ସଭିଏଁ ମୋ ପାଖେ ନୀଚ
ଭାବିଛି ନିଜକୁ ବଡ଼ ସହ ଉଚ୍ଚ
ମୋ ପରି ଅଛି କେ ସ୍ୱଚ୍ଛ
ରୋଗୀ ଅବା ମୁହିଁ ବିକଳାଙ୍ଗ ଦେଖେ
ହସିଥାଏ ମନ ଭରି
କାଙ୍ଗାଳ ଗରିବ ମୋହରି ପାଖରେ
ପୋକ ଅବା ମାଛି ପରି।
ବାପା ମାଆ ଭାଇ ଭଉଣୀ କି ପତ୍ନୀ
କେହିବି ନିଜର ନୁହେଁ
ଅର୍ଥ ଅଛି ବୋଲି ଗର୍ବର ସହିତ
ଛାତି ପିଟି କଥା କହେ।
ସମୟଟା ବଡ଼ ବଳବାନ ଥିଲା
ଛଡ଼ାଇ ନେଲା ମୋ ହାତୁ
ଅଚାନକ କିଏ ଅହଙ୍କାର ଭାବ
କରି ଦେଇଗଲା ଛତୁ।
