କେଉଁ ଲେଖନୀରେ ଲେଖିଲ ମୋ ଭାଗ୍ୟ
କେଉଁ ଲେଖନୀରେ ଲେଖିଲ ମୋ ଭାଗ୍ୟ
ଅନାଦି ଅନନ୍ତ ସଗୁଣ ର୍ନିଗୁଣ
ଆତ୍ମା ରାମ ପୟୋବ୍ରତ
ଅପ୍ରାକୃତ ପ୍ରେମ ମୂର୍ତ୍ତୀ ଅବିନାଶୀ
ଅବ୍ଯକ୍ତରେ ତୁମେ ବ୍ଯକ୍ତ।।
ଆଶାସରି ଯାଏ ନିଶ୍ବାସ ନଥାଏ
ତାହାହିଁ ମୋକ୍ଷ ଆତ୍ମାର
ଆଶା ଥିବ କିନ୍ତୁ ନିଶ୍ବାସ ନଥିବା
ତାହାହିଁ ମ୍ରୁତ୍ୟୁ ପ୍ରାଣୀର।।
ଇଛା କରେ ଯେବେ ସୁଖେ ରହିବାକୁ
ନୂଆ ଦୁଃଖ ଯାଏ ଘେରି
ଈଶ୍ବର ହେ କେଉଁ ଲେଖନୀରେ ଭାଗ୍ଯ
ମୋର ଲେଖିଲ ମୁରାରୀ।।
ଉପେକ୍ଷା କରଇ ମିଥ୍ଯା ନକହଇ
ଶ୍ରେଷ୍ଠ ପାପ ମିଥ୍ଯା ମଣି
ଉପଇନ୍ଦ୍ର ଚିନ୍ତି ଗୀତା ଭାଗବତେ
ମନ ନିବେଶଇ ପୁଣି।।
ଊଣା କରିନାହିଁ ତଵ ପୂଜାର୍ଚ୍ଚନl
କାହିଁକି ଭୋଗେ ଯନ୍ତ୍ରଣା
ଊଣା କରନାହିଁ କରୁଣା ତୁମର
ମୁଁ ନୁହେଁ ଭକ୍ତ ନିପୁଣା ll
ଋଷି ତପୋଧନ ହେ ମଧୂସୂଦନ
ସୁତ୍ରଧର ତୁ ବିଶ୍ବର
ଋତୁପୂର୍ଣ୍ଣକାରୀ ସବୁଜିମାଭର
ଶ୍ଯାମଳୀମା ଅବନୀର।।
ଏକାକ୍ଷର ବ୍ରହ୍ମ ସାକାର ସଗୁଣ
ବ୍ରହ୍ମାଣ୍ଡ ର ଅଧୀଶ୍ବର
ଏକାତୁହି ମୋକ୍ଷ ମାର୍ଗ ବାସୁଦେବ
ପାପପଙ୍କୁ କର ପାର।।
ଐକ ଭାବ ଧରି ସୁଖେ ରହେ ମୂଢ
ହାହାକାରେ ମରେ ତପି
ଐଶ୍ବର୍ୟ୍ଯ ର୍ବଦ୍ଧକ ଆହେ ପୁଣ୍ଡରିକ
ତରିବି ଅଜପା ଜପି।।
ଓଷ୍ଠ ରକ୍ତପଦ୍ମ ସମ କି ସୁନ୍ଦର
ରଂଗାଧର ନାମଧାରୀ
ଔଷଧି ସ୍ବହସ୍ତେ ସୁଦାମା କ୍ଷତରେ
ଲେପି କଷ୍ଟ ନେଲ ହାରି।।
କରୁଣାମୟ ହେ କରୁଣାରେ ତୋର
କ୍ଲେଶ ନରହୁ ଅନ୍ତରେ
କାଳୀୟଦଳନ ହେ କଂଞ୍ଚନୟନ
ଭକ୍ତିଭାବ ଦିଅ ନରେ।।
ଖଞ୍ଜି ଦେଲ ନଭେ ଆଦିତ୍ଯ ,ଶଶାଙ୍କ,
ଉଜ୍ଜ୍ବଳ ତାରକାଗଣ
ଖଂଜା କଲ ଖାଦ୍ୟ ପ୍ରାଣୀ କ୍ଷୁଧା ଅର୍ଥେ
ରୋକିବାକୁ ଶନ୍ତୁଳନ।।
ଗୋବର୍ଦ୍ଧନ ତୋଳି ଗିରିଧାରୀ ତୁମେ
ରଖିଲ ଅଗୁଂଳି ଅଗ୍ରେ
ଗଗନ ରେ ଦେଖି ଇନ୍ଦ୍ର ଯେ ଚକିତ
ଗର୍ବ ଭାଂଗି ଗଲାତେବେ।।
ଘନନୀଳ ମେଘ ବର୍ଣ୍ଣ ହ୍ରୁଦେ ଶୋଭେ
ଅମୂଲ୍ଯ କୌସ୍ତୁଭମଣି
ଘାଣ୍ଟି ହୁଏ ମୁହିଁ କର୍ମ କଷଣରେ
ଘନଶ୍ୟାମ କି ନ ଯାଣି ll
ଚକ୍ର ପେଷି ନକ୍ର ନାଶି ନାରାୟଣ
ରଖିଛ ଗଜର ପ୍ରାଣ
ଚତୃବର୍ଗ ଫଳ ଦାତା ଭଗବାନ
ମୋ ପାଇଁ ହୁଅ ପାଷାଣ ll
ଛନ୍ଦ କପଟ ମୁଁ ଉପେକ୍ଷା କରଇ
ଅନିଷ୍ଟ କାରକ ସେହି
ଛନ୍ଦା ଚରଣରେ ସମର୍ପିତ ପ୍ରାଣ
ଆଶ୍ରା ଦିଅ ଭାବଗ୍ରାହୀ ll
ଜଗତର ପତି ଅଗତିର ଗତି
ଅନାଥ ଜନର ନାଥ
ଜଗତ ତାରଣେ ନନା ଅବତାରେ
ଅବତର ଜଗନ୍ନାଥ ll
ଝୁଣ୍ଟି ପଡିଲେ ମୁଁ ହେ ବିଶ୍ଵତନ୍ମୟ
କରିଥାଅ ତୁମେ ଆହା
ଝଡ ଝଞ୍ଜା ସହି ଝାଉଁଳି ପଡ଼େନି
ସାହାତୁମେ ଚଉବାହା ll
ଠକି ଦେବନାହିଁ ଆହେ ମାୟାଧର
ତୋ ମାୟା ପାରେନି ଯାଣି
ଠକିଦେଲେ ତୁମେ ବିଶ୍ୱାସ ତୁଟିବ
କାହାର ହେବି ମୁଁ ପୁଣି ll
ଡାକି ଡାକି ତୋତେ କ୍ଲାନ୍ତ ମୁଁ ହୁଏନି
ଶୁଖିଯାଉନି ମୋ ଗଳା
ଡାକିଲେ ଦ୍ରୌପଦୀ କୁରୁସଭାସ୍ଥଳେ
ଦେଖାଇଲୁ ତୋର କଳା ll
ଢକ ଢକ କରି ତୁମ ନାମାମୃତ
ପାନ କରି ଯାଉ .ଜୀବ
ଢମ କହିବିନି ହୃଦୟ ଦେବତା
କରୁନାହିଁ କେବେ ଗର୍ବ ll
ଅଣା କ୍ଷର ତୁମେ ଆକାର ବିହୀନ
ଦୃଶ୍ୟ ଅଦୃଶ୍ୟ ର ସ୍ୱତ୍ତା
' ଣ 'କାର ମୂରତି ବର୍ଣ୍ଣିବି କେମିତି
କୁହହେ ବିଶ୍ୱ ବିଧାତା ll
ତୈଳ ଭରିଦେଲ ଜୀବନ ପ୍ରଦୀପେ
କରମ ଦେଖି ମୋହର
ତୈଳ ସରିଗଲେ ନିର୍ବାଣ ଲଭି ମୁଁ
ସତେ ଯିବି ସ୍ୱର୍ଗପୁର ll
ଥାଇ ସବୁ ଠାରେ ଅପକ୍ଷ ପlତ୍ରରେ
ବାଣ୍ଟି ଦିଅ ତୁମେ ତୈଳ
ଥକି ପଡିଲିଣି ଜଳି ଜଳି ପ୍ରଭୂ
କେତେ ତୈଳ ଭରିଥିଲ? ll
ଦୀନଜନ ବନ୍ଧୁ ହେପ୍ରଭୁ ଦୈତାରୀ
ପରଂବ୍ରହ୍ମ ନିରାକାର
ଦିନ ଯାଉ ବିତି ଗାଇ ତୁମ ପ୍ରୀତି
ଶ୍ରୀ ନାମ ବ୍ରହ୍ମ ଓଁକାର ll
ଧପ ଧପ ଜଳେ ଜୀବନ ପ୍ରଦୀପ
ଆୟୁ ତୈଳ ଥିବାଯାଏ
ଧିକ ମୋ ଜୀବନ ହେ ଧ୍ରୁବ ସମ୍ମାନ
ଏଷଣା ତୋ ଦାସ ହୁଏ ll
ନରକେ ବଞ୍ଚିଛି ନିର୍ବାଣ ମାଗୁଛି
ନୀଳମଣି ନୀଳାମ୍ବର
ନିର୍ଲିପ୍ତ ପୁରୁଷ ନହୁଅ ବିରସ
ନରୋତ୍ତମ ନିରାକାର ll
ପ୍ରାଣ ନକରିଛି ପାପ ଯେତେ ପ୍ରଭୂ
ପୂର୍ଣ୍ୟ ତୋ ନାମରେ ସେତେ
ପ୍ରହଲ୍ଲାଦେ ଦୟା କଲ ପ୍ରଭଂଜନ
ପର କରିଦେଲ ମୋତେll
ଫେଡ଼ ମୋ କଷଣ ହେ କଂଚନୟନ
ନ ଫେଡ଼ି ଦେଉଛ ଗୁଣି
ଫେଡ଼ିଲ କଷଣ ଭାବେ ସମର୍ପଣ
ହୁଅନ୍ତେ ପାଣ୍ଡଵ ରାଣୀ ll
ବନ୍ଧନ ସବୁ ମୋ ତୁଟାଇ ଦିଅହେ
ବୈଲୋଚନ ବନ୍ଦନୀୟ
ବହିଯାଏ ଲୁହ ବିଦଗ୍ଧ ହୃଦୟ
ବିଭୋର ବିଭୁଙ୍କ ମୋହ ll
ଭାଗ୍ୟକୁ ନିନ୍ଦେନି ଭାଗ୍ୟଧର ତୁନି
ରହି ମୁଁ ଗୁମୁରି କାନ୍ଦେ
ଭାଗ୍ୟ ବଦଳରେ କର୍ମଫଳ ପାଇଁ
ଭାଳି ବିବେକକୁ ନିନ୍ଦେ ll
ମାୟାରେ ମୋହିତ ମିଛ ସଂସାର ଏ
ମାଟି ମୟ ପିଣ୍ଡ ମଣି
ମୁହୂର୍ତ୍ତଟେ ଲଗେ ମେଞ୍ଚାଏ ସଦୃଶ
ମନେ ତୁମ ନାମ ଭଣି ll
ଯଥୋଚିତ ବିହୀ ଲିହିଲା ମୋଭାଗ୍ୟ
ଜାଣିଛ ଯୁଗାନ୍ତକାରୀ
ଯାହାକର୍ମ ଫଳ ନୋହିବ ନିଷ୍ଫଳ
ଯେ ଦଣ୍ଡ ପ୍ରାପ୍ୟ ଯାହାରି ll
ରଂଗାୟିତ ଭାବେ ମୋ ଜୀବନ ଚର୍ଯ୍ୟା
ରଙ୍ଗକଲ ରଙ୍ଗାଧର
ରଙ୍ଗ ବୋଳିହୋଇ ଅଭିନୟ କଲି
ରଙ୍ଗାଧୃତ ଆସକ୍ତିର ll
ଲାଳାୟିତ ଲୁହ ନିଗିଡି ପଡୁଛି
ଲୁହରେ କଲି ଅର୍ଚ୍ଚନ
ଲିଭି ନଯାଉ ଏ ଜୀବନ ପ୍ରଦୀପ
ଲଭିନି ତୋ ଦରଶନ ll
ବିଜନ ରଜନୀ ଆସେ ସ୍ୱପ୍ନ ଘେନି
ବିଷ୍ଣୁ ବୃଷ୍ଣନିବଂଶ ଶ୍ରେଷ୍ଠ
ବିଶାଳlକ୍ଷ୍ୟ ତୁମେ ବ୍ରହ୍ମ ଜ୍ଞାନ ଧନ
ପାଇବି ମନ ଉଚ୍ଚାଟ ll
ଶ୍ରୀପତି ଶ୍ରୀହରି ଶ୍ରୀକ୍ଷେତ୍ର ବିହାରୀ
ଶମ୍ଭୁନେତ୍ର ଶିରୀଧର
ଶ୍ରୀମନ୍ଦିର ଶିରୀ ଶ୍ରୀନାଥ ଶ୍ରୀକୃଷ୍ଣ
ମୋ ହୃଦୟ ଅଧିଶ୍ଵର ll
ଷୋଳ କଳାଧାରୀ ଗୋଲକ ବିହାରୀ
ନୁହଁଇ ମୁଁ ରାଧାରାଣୀ
ଷୋଳଣା ରୁ ବାରଅଣା ଊଣା କରି
ମୋ ଭାଗ୍ୟ ଲେଖିଲ ପୁଣି ll
ହସୁଛି ଅତୀତ କାନ୍ଦେ ଵର୍ତ୍ତିମାନ
ହାତ ଠାରେ ଭବିଷ୍ୟତ
ହନୁସିକ୍ତ ତନୁ ହୃତବର ବିନୁ
ଆନେ ପାତିନାହିଁ ହାତ ll
କ୍ଷରିତ ହେଉଛି ନଖ କୋଣୁ ତୁମ
ସୁଧାମୟ ମକରନ୍ଦ
କ୍ଷମାଶୀଳ କ୍ଷମା ମାଗୁଛି ରଶ୍ମିତା
କ୍ଷମା ଦିଅ ଆଦିକନ୍ଦ ll
