STORYMIRROR

Ramakanta Swain

Classics

4  

Ramakanta Swain

Classics

ପ୍ରଶ୍ନ

ପ୍ରଶ୍ନ

1 min
240


ଶୁଣ'ଲୋ ସଜନୀ ଅବ୍ୟକ୍ତ କାହାଣୀ

ଚାହିଁଲେ କହି ମୁଁ ପାରେନା

ଦୃଢ଼ କରି ମନ କରିବି ଗାୟନ

ଭାବିଲେ ମନକୁ ଆସେନା

       ମିତଣି

କେମନ୍ତେ କହିବି କାହାଣୀ

ପାଟିକୁ ଆସୁଛି ଉଜାଣି ଫେରୁଛି

ନକହି ରହି ମୁଁ ପାରୁନି ।୧।

ଗଲା ଦିନ କଥା ହୃଦେ ଦିଏ ବ୍ୟଥା

ମାନସେ ମନାସେ ସହଜ

ଭାବୁଛି କହିବି ସତ ବଖାଣିବି

ଏତିକି କରୁଛି ଅରଜ

       କଷଣ

କରୁଛି ହୃଦୟ ପାଷାଣ

କହିବାକୁ ଲାଜ ମନର ଦରଜ

ଅକୁହା ଅତୀତ କାରଣ ।୨।

ଘୁଣଖିଆ ମନ ବୁଶ୍ଚିକ ଦଂଶନ

ଅସହ୍ୟ ଯନ୍ତ୍ରଣା ଭୋଗୁଛି

କହି ପାରୁ ନାହିଁ ସହି ପାରୁ ନାହିଁ

ଜୀବନ ଜୁଇ ରେ ଶୋଇଛି

      ଲୋତକ

ଢେ଼ଉରେ ପରାଣ ଭାସୁଛି

ଆଜି ମୋ ସଂସାର ହେଲାଣି ଅସାର

କହିଲେ କିଏ'ବା ଶୁଣୁଛି।୩।

ତୋର ମୋର ଭାବ ନୋହିବ ଅଭାବ

ଏମିତି ଆଶଙ୍କା ଘାରୁଛି

ଯନ୍ତ୍ରଣା ହୃଦୟ ହେଉଛି ଅଥୟ

ଅକୁହା ଜିଜ୍ଞାସା ଜାଳୁଛି

       ଆସୁଛି

ହୃଦୟେ କଷଣ ଦେଉଛି

ଅନଳ ନ'ଥାଇ ଦେହ ଜଳୁ ଥାଇ

ଶୀତଳ ପରଶ ଖୋଜୁଛି ।୪।

ସଞ୍ଜ ହୋଇଲାଣି ଯାଅଲୋ ସଜନୀ

କାଲିକି କହିବି କାହାଣୀ

ସଞ୍ଜୁଆ ସଞ୍ଜ'ରେ କାଳିଆ ମନ୍ଦିରେ

ଲେଖିବି ଅତୀତ ଜୀବନୀ

       ବଉଳ

ବେଦୀରେ ହୃଦୟ କଲ୍ଲୋଳ

ଅକୁହା କାହାଣୀ ଲେଖିବ ଲେଖନୀ

କାଳିମା ହୃଦୟ ସଲିଳ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics