STORYMIRROR

Ramakanta Swain

Classics

4  

Ramakanta Swain

Classics

ହେ ଦେବୀ

ହେ ଦେବୀ

1 min
28


ମାଆ ବୋଲି ଯେଉଁ ଅକ୍ଷର ଲେଖା ଅଛି ଦୁଇଟି

ସବୁଠୁ ମଧୁର ସଂସାରେ ଲାଗେ ବୋଲିଲେ ପାଟି

‌।୧।

ସେନେହ ମମତା ଆଶିଷ ସଦା ହୃଦୟ ଭରା

ତା'କର କମଳ ପରଶେ ହୁଏ ସନ୍ତାନ ତୋରା

।୨।

ବିଘ୍ନ ବିନାଶନ ଗଣେଶ ମାଆ ଆଶିଷ ପାଇ

ମହା କୋପୀ ତପୀ ଶିବଙ୍କୁ ଯୁଦ୍ଧେ ଦେଲେ ହରାଇ ।୩।

ବୀର ହନୁମାନ ଜନ୍ମ'ରୁ ପାଇ ଜନନୀ କୃପା

ସନ୍ତାନ ହୃଦୟେ ଅଞ୍ଜନା ହୋଇ ଶକ୍ତି ସ୍ୱରୂପା 

।୪।

ମାଆ ବିନା କେହି ସଂସାରେ ଅଛି ଜୀବନ ଧରି

ଚେର ମୂଳ ଥିଲେ ବିଟପ ମୁଖେ ଆହାର ଭରି

।୫।

ମଧୁ ପୁରେ କୃଷ୍ଣ ଦେବକୀ ଗର୍ଭୁ ଜନମ ହୋଇ

ଯଶୋମତୀ କୋଳ ସାର୍ଥକ କଲେ ଜଗତ ସାଇଁ

।୬।

ମାଆ'ର ମମତା ହୃଦୟେ ସଦା ସନ୍ତାନ ବାସ

ପ୍ରମାଣ କରିଲେ କେଶବ ଯଜ୍ଞ କରି ପ୍ରଭାସ

।୭।

ଜନନୀ ଆସନ ଉଚ୍ଚ'ରେ ରଖି ଜଗତ ସାଇଁ

ଗୁଣ୍ଡିଚା ନାମରେ ଯାତରା ନର ନେତ୍ରେ ଦେଖଇ

।୮।

ପୁରୁଣା ହେଲାଣି ପୁରାଣ ଏବେ ସମାଜ ଦେଖ

ଗର୍ଭ ଧାରୀ ମାତା ବୁଲୁଛି ପାଇ ହୃଦୟେ ଦୁଃଖ

।୯।

ଖୋଇଲା ପେଇଲା ସନ୍ତାନେ ଏବେ ନୋହିଲା କିଛି 

କାମିନୀ କାଞ୍ଚନ ସର୍ବସ୍ବ ତା'ର ହୃଦୟେ ସଞ୍ଚି

।୧୦।

ପିତୁଳା ପୂଜନେ ମାନସ ରଖି ମାନବ ଏବେ

ଗରଭ ଧାରିଣୀ କାନ୍ଦୁଛି ମୁହଁ ଲୁଚାଇ ଭବେ

।୧୧।

ଯୋଡ଼ି ବେନି କର କହୁଛି ଶୁଣ ଗୁହାରୀ ମୋର

ସେବା କରି ମାତା ପୟରେ ତୃପ୍ତ ହୃଦ ସଂସାର

।୧୨।

ମାନି ଦୁର୍ଯ୍ୟୋଧନ ଅବଜ୍ଞା କରି ଗାନ୍ଧାରୀ ହୃଦ

ଜନନୀ ଆଶିଷ ବିହୀନ ହେଲା ଜୀବନୁ ବଦ୍ଧ

।୧୩।

ନିର୍ଜୀବ ପିତୁଳା ଆଗରେ ରଖି ନୈବେଦ୍ୟ ଭାର

ଜୀବନ୍ତ ଜନନୀ କାନ୍ଦୁଛି କ୍ଷୁଧା ଭରି ସଂସାର

।‌୧୪।

ଜୀବନ ଦାୟିନୀ ଜନନୀ ପାଦେ କରି ଭକତି

ସେବା ପୂଜା ହୃଦ ଅରପି ଭବୁ ହେବ ମୁକତି

।୧୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics