STORYMIRROR

Ramakanta Swain

Classics

4  

Ramakanta Swain

Classics

ଦୀପାଳୀ

ଦୀପାଳୀ

1 min
245

(ରାଗ -କୌଶିକ)


କାର୍ତ୍ତିକ ମାସର ଘନ ଅନ୍ଧକାର

ଅମାବାସ୍ୟା ତିଥି ଉତ୍ତମ

ପୂରୁବ ପୁରୁଷ ଜୀବନ ସରସ 

ଯାତରା ପଥରେ ଧରମ

ଦୀପାଳି ଧରି

ମୁକତି କାମନା ସୁମରି

ପରାଣେ ଆଲୋକ ସୁଗମ ପ୍ରତୀକ

ବାଇଶି ପାହଚ ଆଦରି।୧।

ଶ୍ରଦ୍ଧା ପୂର୍ଣ୍ଣ ଶ୍ରାଦ୍ଧ ପୂର୍ବ ସୂରି ହୃଦ

ସଂସ୍କୃତି ଦେଇଛି ସଂସ୍କାର

ପିତୃ ଆତ୍ମା ତୃପ୍ତ ଦୀପ ଦାନେ ପୂତ

ଅନ୍ଧାରୀ ମୂଲକ ଅସାର

ଆଲୋକ ପଥେ

ଜୀବନ ଯାତରା ଜଗତେ

ପୂରୁବ ପୁରୁଷ ମୁକତି ପୀୟୁଷ

ପରାଣେ ଲଭିବେ ମରତେ।୨।

ପୁରାଣ ସଂସ୍କୃତି ହୃଦୟ ଜଗତି

ବସାଇ ପାଳୁଛି ମାନବ

ରାବଣ ନିଧନ କରି ଶ୍ୟାମ ଘନ

ଶ୍ରୀରାମ ସୁନ୍ଦର ରାଘବ

ସତୀ ମୈଥିଳୀ

ଅଯୋଧ୍ୟା ନଗରେ ଦୀପାଳୀ

ଅନୁଜ ଲକ୍ଷ୍ମଣ କଲେ ଆଗମନ

ସ୍ଵାଗତେ ଦେବ ଦୀପାବଳି।୩।

ଅନ୍ୟାୟ ଅଧର୍ମ ଅସତ୍ୟ ବିଷମ

ଶ୍ରୀରାମ କରିଲେ ବିନାଶ

ଗର୍ବ ଅହଙ୍କାର ମନର ବିକାର

ହରିଲେ ହୃଦୟ ବିରସ

ପାଳି ଧରମ

ମର୍ଯ୍ୟାଦା ପୁରୁଷ ଉତ୍ତମ

ରଖିଲେ କୀରତି ପ୍ରଭୁ ସୀତା ପତି

ଧରମ ସୁରକ୍ଷା କରମ।୪।

କହିଛି ପୁରାଣ ଅନେକ କାରଣ

ଗୋଟିଏ ଉଦେଶ୍ୟ ପୁରଣ

ଅଧର୍ମ ଅନ୍ଧାର ଯେତେ ଅବିଚାର

ଶ୍ରୀହରି କରିଲେ ହରଣ

ରଖିଲେ ଯଶ

ସଂସ୍କୃତି ସଂସ୍କାର ପରଶ

ବିଜୟ ଉଲ୍ଲାସ ସ୍ଵାଗତ ସରସ

ଦେବ ଦୀପାବଳୀ ହରଷ।୫।

ପଥ ପ୍ରାନ୍ତ ଶୋଭା ଦୀପ ଜ୍ୟୋତି ଆଭା

ସଜେଇ ସ୍ଵାଗତ ତୋରଣ

ନାନା ଜାତି ବାଣ ସତେକି କମାଣ

ଫୁଟାଇ କରିଲେ ବରଣ

ଶୋଭା ସୌରଭ

ରଙ୍ଗୀନ ଆଲୋକ ବିଭବ

ପାଳିଲେ ଲଗେଇ ଦୀପାଳି ଜଳେଇ

ଦେବ ଦୀପାବଳୀ ଗୌରବ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics