STORYMIRROR

Ramakanta Swain

Others

4  

Ramakanta Swain

Others

ଶୀତରାଣୀ

ଶୀତରାଣୀ

1 min
268


କୁଆ‍ଁରୀ ଡାଲାରେ ଭାରି ସରାଗରେ

ମୁହଁକୁ ଲୁଚେଇ ଶୀତ

ଛପି ଛପି ଆସି ନେତ୍ରେ ଦେଖି ଶଶୀ

ବୋଲିଲା କୁମାରୀ ଗୀତ।୧।

କାର୍ତ୍ତିକ ପୁନେଇଁ ରହିଛି ଅନେଇଁ

ଧରମ ଡଙ୍ଗାରେ ବସି

ଫୁଲ ସବାରୀରେ ମାସ ମାର୍ଗଶୀରେ

ଶୀତୁଆ ଓଠରେ ହସି ।୨।

କଅଁଳ ପତରେ କାକର ବିନ୍ଦୁରେ

ନିହାର ମୋହରେ ଭ୍ରମ

ସୁମନ ସକାଳେ ଦିଶୁଥାଏ ଡୋଳେ

ହସ'ତା ମୁକୁତା ସମ ।୩।

ନବିନ ବୟସୀ ଶୀତଳ ପରଷି

ଖୋଜୁଛି ମାଂସ ର ଖରା

ଯୁବ ମନଲୋଭା ଉଷା କାଳ ଶୋଭା

ଶରୀରେ କଅଁଳ ଖରା ।୪।

ସୁକୁଟୀ ମାଉସୀ ପାରୁନାହିଁ ହସି

ପାକେଇ ଓଠରେ ଶୀତ

ଛିଡ଼ା ମସିଣା ରେ ଦିନ ତାର ସରେ

ଛିଣ୍ଡା ପଣତରେ ଭୀତ।୫।

କୁନି କୁନି ପିଲା ହେଉଥାନ୍ତି ଗେହ୍ଲା

ଶୀତ'କୁ ପାରେନା ସହି

ଶୀତୁଆ ସକାଳ ଖୋଜେ ମାଆ କୋଳ

ଉଷୁମ ଛାତିରେ ରହି ।୬।

ନରମ ସେଜରେ ରେଶମ ଗଦିରେ

ସମ୍ଭ୍ରାନ୍ତ ହୃଦୟେ ସୁଖ

ଭଙ୍ଗା କୁଡ଼ିଆରେ ଶୀତୁଆ ରାତିରେ

ଗରିବ କାନିରେ ଦୁଃଖ।୭।

ଜାକିଜୁକି ହୋଇ ରାସ୍ତା କଡ଼େ ଥାଇ

ଶୀତୁଆ ଯନ୍ତ୍ରଣା ସହି

ବର୍ଷା ହେଉ ଖରା ଶୀତଳ ଶିଶିରା

କାହାକୁ ପାରୁନି କହି ।୮।

ଶସା ଗରା ଧରା ସ୍ବର୍ଣ୍ଣିମ ସାଗରା

ଷୋରିଷ ଫୁଲର ଶୋଭା 

କଅଁଳ ଶୀତର ବହଳ ଚାଦର

ସୁନ୍ଦରୀ ପ୍ରକୃତି ଗଭା ।୯।

ଚଷା ପୁଅ ଅଳି ଖେତେ ସ୍ବର୍ଣ୍ଣ ଶାଳି

ଗୃହିଣୀ ହାତରେ ଭେଟି

ହୋଇ ତରବର ପାହାନ୍ତି ପ୍ରହର

କୁହୁଡି କାକର କାଟି ।୧୦।

ପୌଷ ମାଘ ମାସ ଶୀତ ଦେଇ ତ୍ରାସ

ବାଘ ପରି ଆସେ ମାଡ଼ି

ଫଗୁଣ ହୋଇଲେ ମଳୟ ବହିଲେ

ଧରା ଧାମ ଯିବ ଛାଡି ।୧୧।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍