କେଉଁ ଦୁନିଆରେ ରହିଛି ମୁଁ କରି ଘର
କେଉଁ ଦୁନିଆରେ ରହିଛି ମୁଁ କରି ଘର
ଉନ୍ନତି ପଥରେ ଯାଉଛେ ତ ଆମେ କୁହ ଆଜି
ସମାଜରେ ଅବନତି କିଆଁ ହେଉଛି
ନାରୀକୁ କଥାରେ ପୂଜୁଛେ, ଦିନ ଦିପହରେ ଏକ
ମହିଳାକୁ ନିର୍ଯ୍ୟାତନା ବଳାତ୍କାର ହେଉଛି ।
ଦିନ ଥିଲା ପୂଜ୍ଯ ପୂଜନୀୟ ଗୁରୁ ଆମକୁ ସ୍ନେହ
କରୁଥିଲେ ଗାଳି ବି ଦେଉ ଥିଲେ
କିନ୍ତୁ ମୂଲ୍ୟବାନ ସମୟରୁ କିଛିଟା ସମୟ କାଢି,
ମୋ ଛାତ୍ର ସମୟରେ, ଆମକୁ ପଢଉ ଥିଲେ ।
ଉନ୍ନତି ପଥରେ ଯାଉଛେ ତ ଆମେ କୁହ ଆଜି
ସମାଜରେ ଅବନତି କିଆଁ ହେଉଛି
ଶିକ୍ଷା ଓ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଆଜି ବେପାରୀ
ମନୋବୃତ୍ତି ଜୋରରେ ପରା ବଢିଛି ।
ଆମର ସଂସ୍କୃତି କହିଛି, ହୃଦୟରେ ସାଇତି ରଖିବା
ମଣିଷ ପ୍ରୀତିର ସେ ଅମୃତ ବାଣୀ
ସଂସ୍କୃତି ନାମରେ ସ୍ଵେଚ୍ଛାଚାରିତାକୁ ନେଉଛେ ଆପଣେଇ,
ଭୟଙ୍କର ସ୍ୱପ୍ନ, ଯୁଦ୍ଧ କରି ଦୁନିଆକୁ ଯିବା ଜିଣି ।
ହିନ୍ଦୁ ସଂସ୍କୃତିରେ ଭିନ୍ନ ମତ ଦାନ କଲେ ମଧ୍ୟ ପରସ୍ପର
ମଧ୍ୟରେ ସମନ୍ୱୟ ରକ୍ଷା ହେଉଥିଲା
ଚାର୍ବାକ୍ ଥିଲେ ମନୁ ବି ଥିଲେ ଓ ବିଭିନ୍ନ ମତପନ୍ଥୀଙ୍କ
ଭିତରେ ବିବାଦ ନଥାଇ ସମ୍ପର୍କ ସୁସ୍ଥ ଥିଲା ।
ଉନ୍ନତି ପଥରେ ଯାଉଛେ ତ ଆମେ କୁହ ଆଜି
ସମାଜରେ ଅବନତି କିଆଁ ହେଉଛି
ବିରୋଧ ମତ ଦେଲେ ଶାସକଗୋଷ୍ଠୀ ଅସହିଷ୍ଣୁ
ହୋଇ ସେଡିଶନ ଧାରାରେ ବାନ୍ଧୁଛି ।
ପଢୁଥିଲି ଓ ଗାଉଥିଲି ମୁହିଁ ଛୁଆଟି ଦିନରୁ ସତ
କହି ପଛେ ମଲେ ମରିବି
କିନ୍ତୁ ଯାହାକୁ ଯାହା ଲାଗେ ସେହିପରି ମିଛ କହେ
ଭାବନାଟା ଏବେ କେମିତି ତେଲେଇବି ।
ଗର୍ବରେ କହୁଛି ମୁଁ ଭାରତୀୟ ତ୍ରିରଙ୍ଗା ଉଡାଉଛି
ସ୍ୱାଧୀନ ବୋଲି ମୁଁ ଗର୍ବରେ କହୁଛି
କିଛି ତ କରି ପାରିବିନି ମନରେ ଆସିଲେ ଶାସକ
ଆମର ଯେବେ ଖୁନୀ ସବୁଂକୁ ମାଫ୍ କରୁଛି ।
ଶହେ ଜଣ ଧନୀ ଆଜି ଧନରେ ମୋଟା ହେଉଛି,
ସଂସ୍କାରର ଉତ୍କର୍ଷତା କଥା ଗାଉ
କି ମୋହର ଯାଏ, ବେକାରୀ ଦରଦାମ ବୃଦ୍ଧିରେ
ଶହେ କୋଟି ପ୍ରଜା ଘାଣ୍ଟି ହେଉଥାଉ ।
ପିଲା ଦିନରେ ଭାବୁଥିଲି ମୁଁ ଓ ଆମେ ତ ଶ୍ରୀ ଶ୍ରୀ
ଜଗନ୍ନାଥଙ୍କର ଆଶ୍ରିତ ଛୁଆ,
ଶ୍ରୀଜଗନ୍ନାଥ କରାଇ ଦେବେନି ଅନ୍ୟାୟ, ସଂସାର
ର ଚ଼ଉଦିଗେ ଦେଖିବି ଦିନେ ଖାଲି ନିଆଁ ।
ପେଟ ପୋଡ଼ିଗଲେ ଚୋରି କଲେ ଓ ଦେହ
ବିକିଲେ ପାପ କୁହାଯାଏ ଯେଉଁଠି
ହାୟ କି ଉଦ୍ଭଟ ଭାବନା, ଦେଶକୁ ବିକି ଦଲାଲ୍
ବଣିକ ପାଏ ଦେଶଭକ୍ତ ପଦ ଏଠି ।
ସର୍ବଦା ସରଳ ନିଜ କର୍ମ କର୍ତ୍ତବ୍ୟର ମାର୍ଗେ ରହେ,
ପର ଅହିତ କେବେ ନପାଞ୍ଚଇ
ବାକ୍ୟବୀର ନୂହେଁ, ମୋର ମନର ଭାବନା ପ୍ରକାଶ
କରୁନି ଏଠି ସଭିଙ୍କୁ ଖୁସି ଦେବାପାଇଁ ।
ପୁରୁଣାଖାତାର ଅଜଣାପୃଷ୍ଠାରୁ ଲିଭିଥିଲା କିଛି,
ମନେ ପଡି ଯାଉଛି ମୋର
ନିରେଖି ଚାହିଁଲି ଏହି ଶବ୍ଦ ସବୁ ଉଜ୍ଜଳ ଦିଶନ୍ତି
କେଉଁ ଦୁନିଆରେ ରହିଛି ମୁଁ କରି ଘର ।